ସୁପ୍ରିମକୋର୍ଟଙ୍କ “ତାଣ୍ଡବ’ ଝଟକା

0 73

ନୂଆଦିଲ୍ଲୀ, ୨୭ ।୧: ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ୱେବ ସିରିଜ୍ “ତାଣ୍ଡବ’କୁ ସୁପ୍ରିମକୋର୍ଟ ଝଟକା ଲାଗିଛି । ଏହି ୱେବ ସିରିଜ୍ରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ତାଣ୍ଡବ ଟିମ୍ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହି କାରଣରୁ ତାଣ୍ଡବ ଫିଲ୍ମକୁ ତିଆରି କରିଥିବା ସଦସ୍ୟ ଓ ଜଣେ ଅଭିନେତା ଗିରଫ ଭୟରେ ସୁପ୍ରିମକୋର୍ଟରେ ଆଶ୍ୱସ୍ତ ପାଇଁ ନିବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟ ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ମନା କରିଦେଇଛନ୍ତି । ଫଳରେ ତାଣ୍ଡବ ମେକର୍ସ ଓ ଅଭିନେତାଙ୍କ ପ୍ରତି ଗିରଫର ଭୟ ସୃଷ୍ଟି ହୋଇଛି । ତାଣ୍ଡବ ୱେବ ସିରିଜ୍ରେ ଉତ୍ତରପ୍ରଦେଶ ପୁଲିସ୍କୁ ମଧ୍ୟ ନୂନ୍ୟ କରି ଦେଖା ଯାଇଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଉତ୍ତର ପ୍ରଦେଶ ସମେତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ବି ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର ଶିବସେନା ସରକାର ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛି । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ କରି କହିଛନ୍ତି, ୱେବ ସିରିଜ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ସାମାଜିକ ମୂଲ୍ୟବୋଧ, ଏକତା ଓ ହିନ୍ଦୁ ଲୋକଙ୍କ ଧର୍ମୀୟକୁ ଆଘାତ ଦେବା ଭଳି ଅପରାଧ କରିଛନ୍ତି । ତେଣୁ ସେମାନଙ୍କ ବିରୋଧରେ ସମସ୍ତ ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିବାଦ ବଢ଼ିବାରୁ ତାଣ୍ଡବ ପକ୍ଷରୁ କ୍ଷମା ମଗାଯାଇଥିଲା । ତଥାପି ଗିରଫଦାରୀର ଭୟ ହଟି ନଥିଲା । ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିନେତା ଜୀଶାନ ଆୟୁବ, ଆମାଜନର କ୍ରିଏଟିଭ ହେଡ ଅପର୍ଣ୍ଣା ପୁରୋହିତ ଓ ସିରିଜ୍ର ନିର୍ମାତା ହିମାଂଶୁ କିଶନ ମେହର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ କୌଣସି ପ୍ରକାରର ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.