ପୁଣି ବଳ ଗୋଟାଉଛି ଚାଷୀ ସଂଗଠନ

0 77

ଚାଷୀ ଆନ୍ଦୋଳନ ୬୫ଦିନରେ ପହଞ୍ôଚଥିବାବେଳେ ଏଯାଏଁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଦିନକୁ ଦିନ ଏହା ବିଭିନ୍ନ ମୋଡ ନେଉଛି । ୨୬ତାରିଖ ଦିଲ୍ଲୀ ହିଂସା ପରେ ଚାଷୀ ସଂଗଠନରେ ଫାଟ ଦେଖାଯାଇଥିଲା । ଏପରିକି ଦୁଇଦିନ ମଧ୍ୟରେ ୪ଟି ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିଲେ । ସମସ୍ତେ ଭାବୁଥିଲେ ଚାଷୀ ଆନ୍ଦୋଳନ ବନ୍ଦ ହୋଇଯିବ ବୋଲି । କିନ୍ତୁ ଆଜି ମୁଜାଫରନଗରରେ ଅନୁଷ୍ଠିତ ହୋଇଥିବା ଚାଷୀଙ୍କ ମହାପଞ୍ଚାୟତରେ ଆନ୍ଦୋଳନକୁ ପୁଣି ଚାଲୁ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଚାଷୀ ନେତା ରାଜେଶ ଟିକାୟତ ଆତ୍ମହତ୍ୟା କରିବା ପାଇଁ ବୟାନ ଦେବା ଏବଂ ସରକାର ଚାଷୀଙ୍କୁ କାହିଁକି ଏଭଳି ଅଣଦେଖା କରୁଛନ୍ତି ବୋଲି କହି ଦୁଇଠୋପା ଲୁହ ଗଡ଼ାଇଦେବା ପରେ ପୁଣି ହଜାର ହଜାର ଚାଷୀ ସମାବେଶସ୍ଥଳରେ ଆସି ଏକଜୁଟ୍ ହୋଇଯାଇଛନ୍ତି । ଚାଷୀ ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡ଼ିଯିବ ବୋଲି ଯାହା ସମସ୍ତେ ଆକଳନ କରୁଥିଲେ ସେଠି ତାହା ଫସର ଫାଟିଯାଇଛି । ପୁଣି ବଳ ଗୋଟାଉଛି ଚାଷୀ ସଂଗଠନ । ଆଜି ସିନ୍ଧୁ ସୀମାରେ ସ୍ଥାନୀୟ ଲୋକେ ଏବଂ ଚାଷୀ ସଂଗଠନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଚାଷୀ ଏବଂ ସ୍ଥାନୀୟ ଲୋକେ ଆହତ ମଧ୍ୟ ହୋଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ତେବେ ଗୋଟିଏ ପ୍ରଶ୍ନ ମନରେ ଉଙ୍କିମାରୁଛି ଯଦି କୌଣସି ଆଇନ୍ ଜନହିତକର ହୋଇଥାଏ ତେବେ ତାହାକୁ ସମସ୍ତେ ନିଶ୍ଚୟ ମାନିବେ । କିନ୍ତୁ କେନ୍ଦ୍ର ସରକାର କୃଷି ଆଇନ୍ ଚାଷୀଙ୍କ ହିତ ପାଇଁ ବାରମ୍ବାର କହୁଥିବାବେଳେ ଚାଷୀମାନେ କ’ଣ ଏହା ସେମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି ଜାଣିପାରୁ ନାହାନ୍ତି? ଚାଷୀଙ୍କୁ ସରକାର କ’ଣ ବୋକା ବୋଲି ଭାବୁଛନ୍ତି? ନା ଏହା ଭିତରେ ଆଉ କିଛି ଅନ୍ତର୍ନିହିତ ଉଦ୍ଦେଶ୍ୟ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଆଇନ୍ କରନ୍ତି ଲୋକଙ୍କ ହିତ ପାଇଁ । ଯେତେବେଳେ ପାର୍ଲାମେଣ୍ଟରେ କୃଷି ଆଇନ୍ ପାରିତ ହେଲା ସେତେବେଳେ ଅନେକ ବିରୋଧୀ ଦଳ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ କହିଥିଲେ । କିନ୍ତୁ ସରକାର ସେ ସମୟରେ ବଳ ପ୍ରୟୋଗ କରି ଏହି ଆଇନ୍କୁ ଜୋର୍ ଜବରଦସ୍ତ ପାସ୍ କରାଇବାରେ ସକ୍ଷମ ହେଲେ । ଏପରିକି ନିଜର ବହୁଦିନର ସହଯୋଗୀ ଦଳ ଶିରୋମଣୀ ଅକାଳୀ ମଧ୍ୟ ହାତ ଛାଡ଼ିଥିଲା । ଏଥିରୁ ସ୍ପଷ୍ଟ ହେଉଛି ସରକାରଙ୍କ ଏଥିନେଇ କିଛି ଭିତିରିଆ ଉଦ୍ଦେଶ୍ୟ ରହିଛି ବୋଲି । ଯଦି ନଥାନ୍ତା ତେବେ ସାରା ଦେଶରେ ଚାଷୀ ଆନ୍ଦୋଳନକୁ ନେଇ ନିଅାଁ ଜଳୁଥିବା ବେଳେ ସରକାର କେବେହେଲେ ଚୁପ୍ ହୋଇ ବସିନଥାନ୍ତେ । ଖାଲି ଉପର ଠାଉରିଆ ଭାବେ ବୈଠକ କରି କୌଣସି ନିର୍ଯ୍ୟାସ ବାହାର ନକରିବା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ବାରି ହୋଇପଡ଼ୁଛି । ପୁଣି ଯଦି ଚାଷୀ ସଂଗଠନମାନେ ଏକାଠି ହେବେ ତେବେ ସ୍ଥିତି ଯେ ବିଗିଡ଼ିଯିବ ଏଥିରେ ସନ୍ଦେହ ନାହିଁ । ପ୍ରଥମଥର ପାଇଁ ଦେଶରେ ଚାଷୀମାନେ ଏଭଳି ଭାବେ ଏକାଠି ହୋଇଛନ୍ତି । କେତେକ ଚାଷୀନେତା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି ବୋଲି ଖୋଲାଖୋଲି ଭାବେ କହିସାରିଲେଣି । ଅବଶ୍ୟ ଜାନୁଆରୀ ୨୬ ଦିନ ଯାହା ଘଟିଲା ତାହା ଆଦୌ ଦେଶ ପାଇଁ ଶୁଭଙ୍କର ନୁହେଁ । ତଥାପି ଯଦି ୬୫ଦିନ ଧରି ଚାଷୀ ଶୀତ କାକରରେ ବାହାରେ ପଡ଼ିରୁହନ୍ତି ତେବେ ସେମାନଙ୍କର ଧୈର୍ଯ୍ୟଚ୍ୟୁତି ହେବା ମଧ୍ୟ ନିଶ୍ଚିତ । ତେଣୁ ସରକାର ତୁରନ୍ତ ଚାଷୀଙ୍କ କଥାକୁ ବିଚାରକୁ ନେଇ ଅନ୍ନଦାତାମାନଙ୍କ ଦାବିକୁ ଅଗ୍ରାଧିକାର ଦେବା ଉଚିତ୍ । ଯଦି ସରକାର ଏବଂ ଚାଷୀ ସଂଗଠନ ଉଭୟ ନିଜ ନିଜ ଜିଦ୍ରେ ଅଟଳ ରହିବେ ତେବେ ଦେଶ ପାଇଁ ଏକ ବଡ଼ ବିପଦ ଆଗକୁ ଯେ ନଘଟିବ ତାହା କହିହେବ ନାହିଁ ।

Leave A Reply

Your email address will not be published.