୫ମ ଦିନରେ ଆଦିବାସୀ ମେଳା, ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଚମତ୍କାରିତା

0 73

ଭୁବନେଶ୍ୱର, ୩୦/୦୧/ ୨୦୨୧- ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲାରେ ସବାଇ ଘାସ ରୋଜଗାରର ଏକ ମୁଖ୍ୟ ପନ୍ଥା ଭାବରେ ଗଣ୍ୟ ହୋଇଥାଏ । କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି । ମାତ୍ର ସବାଇ ଘାସରୁ ଖୁବ୍ ଉନ୍ନତ ଧରଣର ତଥା ଆକର୍ଷଣୀୟ ହସ୍ତଶିଳ୍ପଜାତ ସାମଗ୍ରୀ ଯେ ପ୍ରସ୍ତୁତ ହୋଇପାରେ, ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ହସ୍ତକଳା ସାମଗ୍ରୀ ମେଳାର କେତେକ ମଣ୍ଡପରେ ପ୍ରଦର୍ଶନ କରାଯାଉଛି । ଏହି ସାମଗ୍ରୀ ଗୁଡିକ ଖୁବ୍ ନିଖୁଣ ଓ ଆକର୍ଷଣୀୟ ଶୈଳୀରେ ପ୍ରସ୍ତୁତ ହୋଇଥିବାରୁ ଦର୍ଶକଙ୍କ ଆଗ୍ରହ ସ୍ୱତଃ ବୃଦ୍ଧି ପାଉଛି । ସବାଇ ଘାସରୁ ତିଆରି ସାମଗ୍ରୀ ଗୁଡିକ ମଧ୍ୟରୁ ଫୁଲ ଚାଙ୍ଗୁଡି, ପାଚିଆ, ବ୍ୟାଗ୍ ସହିତ ବିଭିନ୍ନ ଘରକରଣା ଉପକରଣ ରାଜ୍ୟ ବାହାରେ ମଧ୍ୟ ଆଦୃତି ଲାଭ କରିଛି । ଆଦିବାସୀ ମାନେ ନିଜ ଗ୍ରାମରେ ସବାଇ ଘାସ ଚାଷ କରି ସେ ସବୁକୁ ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ମେଳା ମଣ୍ଡପରେ ତାହାର କେବଳ ପ୍ରଦର୍ଶନ ଓ ବିକ୍ରି କରାଯାଉ ନାହିଁ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିଜ ହାତରେ ତାହାକୁ ବୁଣି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଲୋଧାଙ୍କ ଅଧ୍ୟୁଷିତ ମୋରଡା ଓ ଶୁଳିଆପଦା ବ୍ଲକର ମହିଳା ଆଗରୁ ଘୋର ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ଏବେ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ
କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ସବାଇ ଘାସରେ ଫୁଲ ଝୁଡି, ଡଷ୍ଟବିନ୍, ମ୍ୟାଟ୍, ହଟ୍କେସ୍, ସପିଙ୍ଗ୍ ବ୍ୟାଗ୍, ବୋତଲ, ବ୍ୟାଗ୍, ଟ୍ରେ ଆଦି ପ୍ରସ୍ତୁତ କରିଛନ୍ତି । ସିନ୍ଦୁର ଫରୁଆ, ପେନ୍ ଷ୍ଟାଣ୍ଡ୍, କାନଫୁଲ, ମୁଦି, ଫାଇଲ୍ କଭର୍ ଆଦି ସବାଇ ଘାସରେ ତିଆରି କରାଯାଉଛି ବୋଲି ମେଳା ମଣ୍ଡପରେ ଆଦିବାସୀ ମହିଳା ସୂଚନା ଦେଇଥିଲେ । ମୟୁରଭଂଜ ଜିଲ୍ଳାର ୧୩ଟି ମାଇକ୍ରୋ ପ୍ରୋଜେକ୍ଟରେ ଏହି ପ୍ରସ୍ତୁତି ଚାଲିଥିବାର ଦାୟିତ୍ୱରେ ଥିବା ମହିଳା ଅଧିକାରୀ ମମତା ଗ୍ରହାଚାର୍ଯ୍ୟ କହିଥିଲେ । ଆଦିବାସୀ ମେଳାର ଆଜିଥିଲା ପଂଚମ ଦିବସ । ଛୁଟିଦିନ ଥିବାରୁ ମେଳା ପରିସରରେ ବେଶ୍ ଗହଳି ଲକ୍ଷ୍ୟ କରାଯାଇଥିଲା । ଶୀତୁଆ ଅପରାହ୍ନରେ କିଣାବିକାର ମଜା ନେଇଥିଲେ ସହସ୍ରାଧିକ ଦର୍ଶକ । ବିଭିନ୍ନ ହସ୍ତଶିଳ୍ପ ଜାତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥିଲା । ବହୁ ମହିଳା ହାତରେ ଫୁଲଝାଡୁ ଓ ଅନ୍ୟ ଘରକରଣା ସାମଗ୍ରୀ ଧରି ଫେରୁଥିବାର ନିଆରା ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.