ପଟିଆଲା,୧ ।୨: ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅ‡ାର ପର୍ଦାଫାଶ ହୋଇଛି । ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି । ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ, ମନପସନ୍ଦ ଭୋଜନ ସହ ମହିଳାମାନଙ୍କ ଦ୍ୱାରା ଦେହ ବ୍ୟବସାୟ କରୁଥିଲା । ଏସ୍ପି କହିଛନ୍ତି ଯେ ଗିରଫ ମହିଳା କେଉଁଠାରୁ ଆସିଛନ୍ତି ତାହା ଜଣାପଡିନାହିଁ, ତଦନ୍ତ ଜାରି ରହିଛି । ତେବେ ଏହି ମହିଳାମାନଙ୍କୁ ଋଷ, ନାଗଲ୍ୟାଣ୍ଡ ଓ ନେପାଳରୁ ପଞ୍ଜାବକୁ ଅଣାଯାଇଛି ବୋଲି କୁହାଯାଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯାଞ୍ଚ ଟିମରେ ପାଖାପାଖି ୪୦ ଅଧିକାରୀ ଓ ପୋଲିସକର୍ମୀ ଅଛନ୍ତି । ପୋଲିସ ଅଧିକାରୀ ମଧ୍ୟରେ ଡିଏସପି ବଭିର କୁମାର, ଡିଏସପି ଗୁରୁବିନ୍ଦର ସିଂହ, ରାଜପୁରା ସିଟି ଥାନା ପ୍ରଭାରୀ ଗୁରୁପ୍ରତାପ ସିଂହ ଓ ଏସଆଇ ଅଭିଷେକ ଶର୍ମା ସାମିଲ ଅଛନ୍ତି । ଏହି ପ୍ୟାଲେସ ବନୁଡ ଥାନାରୁ ପାଖାପାଖି ଦେଢ଼ କିଲୋମିଟର ଦୂର । ସପ୍ତାହକୁ ୩ଦିନ ଏଠାରେ ଗୋରଖ ଧନ୍ଦା ଚାଲୁଥିଲା । ମୁଖ୍ୟ ଛକରେ ଦିନସାରା ଟ୍ରାଫିକ ପୋଲିସ ଓ ରାତିରେ ଥାନା ପୋଲିସର ନାକା ଲାଗିଥାଏ । ଏହିଭଳି ସ୍ଥିତିରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି । ଚଢ଼ଉ ବେଳେ ଜୁଆ ଅ‡ାରୁ ପୋଲିସ ୮ କୋଟି ଟଙ୍କାର କାରବାରର ଖୁଲାସା କରିଛି । ପ୍ୟାଲେସ ସିଲ କରାଯାଇଛି । ଗହନତାର ସହ ସବୁ ରେକର୍ଡ ଯାଞ୍ଚ ହେଉଛି । ରେକର୍ଡରେ ୮-୮ କୋଟି ଟଙ୍କାର ୨ଟି, ୭ କୋଟିର ଗୋଟିଏ, ୫ କୋଟିର ଗୋଟିଏ ଓ ୨ରୁ ଅଢେଇ କୋଟିର ଅନ୍ୟ ଏଣ୍ଟ୍ରି ସାମିଲ ଅଛି । ପୋଲିସ ରିଙ୍କୁ ମେହତା ନାମକ ଜଣେ ଯୁବକକୁ ଗିରଫ କରିଛି । ବଡ ବଡ ରାଜନେତା ଓ ପୋଲିସ ଅଧିକାରୀଙ୍କ ସହ ତାର ସମ୍ବନ୍ଧ ଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଚଣ୍ଡୀଗଡ଼ ସୀମା ନିକଟସ୍ଥ ଜିରକପୁର ଓ ରାଜପୁରା ଅଞ୍ଚଳ ଜୁଆ ଓ ସଟ୍ଟାର ପେଣ୍ଠସ୍ଥଳୀ । ମ୍ୟାଚ ସମୟରେ ଏଠାରେ ସଟ୍ଟା ଲଗାଯାଏ । ନିର୍ବାଚନ ସମୟରେ ଅବୈଧ ମଦ ବିକ୍ରି ଓ ଜୁଆ ଆଦି କାରବାର ହୋଇଥାଏ ।