ଆନ୍ଦୋଳନରେ ସାମିଲ ହେଲେଣି ପଶ୍ଚିମ ୟୁପିର ଶହଶହ ଚାଷୀ

0 154

ନୂଆଦିଲ୍ଲୀ,୧ ।୨: କୃଷି ଆଇନକୁ ବିରୋଧ କରି ଏବେବି ସରକାର ଓ କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି । କୃଷକମାନେ ଦିଲ୍ଲୀର ବିଭିତ୍ତ ସୀମାରେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ସରକାର କୃଷକଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେବେ କୃଷକ ସଙ୍ଗଠନ ସରକାରଙ୍କଠାରୁ ଅଧିକ କିଛି ଆଶା ରଖିଛନ୍ତି । ଜାନୁଆରୀ ୨୨ରେ ଦେଇଥିବା ପ୍ରସ୍ତାବରେ ଅଧିକ କିଛି ସାମିଲ କଲେ ସରକାରଙ୍କ ସହ ସେମାନେ ଆଲୋଚନା କରିବେ ବୋଲି କହିଛନ୍ତି । କୃଷକ ସଙ୍ଗଠନ କହିଛି ଯେ, ସରକାର ଦେଇଥିବା ପ୍ରସ୍ତାବରେ ଏମଏସପି ଉପରେ କିଛି କହିନଥିଲେ । ତେବେ ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ରାଲି ପରଠୁ ୧୦୦ରୁ ଅଧିକ ଚାଷୀ ନିଖୋଜ ଥିବା ସଙ୍ଗଠନ ଅଭିଯୋଗ କରିଛି । ଉତ୍ତର ପ୍ରଦେଶର ପଶ୍ଚିମ ପ୍ରାନ୍ତରୁ ହତାର ହଜାର ଚାଷୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସାମୁଖ୍ୟ କିଶାନ ମୋର୍ଚ୍ଚା ଏକ କମିଟି ଗଠନ କରିଛି । ଏହା ନିଖୋଜ ଥିବା ଚାଷୀଙ୍କୁ ସନ୍ଧାନ କରିବ । ଚାଷୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯିବ । ଏନେଇ ସଙ୍ଗଠନର ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତିଫ ଜୟ କିଶାନ ଆନ୍ଦୋଳନର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଯଦି ସରକାର ଦୁଇ ପାଦ ଆଗକୁ ଫେରନ୍ତି ତାହେଲେ ସଙ୍ଗଠନ ମଧ୍ୟ ଆଲୋଚନାରୁ ପଛକୁ ହଟିବ ନାହିଁ । ଏହା ଅହଂକାର ନୁହେଁ । ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ । ସରକାର କୃଷକଙ୍କୁ ଏମଏସପି ଉପରେ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଯୋଗେନ୍ଦ୍ର ଯାଦବ ଆହୁରି କହିଛନ୍ତି ଯେ, ଏବେ ଖେଳ ବଦଳି ଯାଇଛି । କୃଷକଙ୍କ ପଲ୍ଲା ଭାରି ରହିଛି । ସଙ୍ଗଠନ ଆହୁରି ସୁଦୃଢ ହେଲେ ସରକାର ଜଲଦି ଦାବି ମାନିବେ । ଏହାସହ ଆଲୋଚନାରେ ମଧ୍ୟ ସମାଧାନର ବାଟ ବାହାରିବ । ଶନିବାର ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ କହିଥିଲେ ଯେ, ଆଲୋଚନା ମଧ୍ୟରେ କେବଳ ଏକ ଫୋନ୍ କଲର ବ୍ୟବଧାନ ରହିଛି । ସରକାର କୃଷି ଆଇନକୁ ୧୮ ମାସ ପାଇଁ ସ୍ଥଗିତ ରଖିବାକୁ ରାଜି ଅଛନ୍ତି । ସରକାର ଦଶମ ପର୍ଯ୍ୟାୟ ଆଲୋଚନା ପରେ କୃଷକଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ତେବେ ସଙ୍ଗଠନ ଏପରି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ନିସର୍ତ୍ତ ଭାବେ ସରକାର ଦାବି ମାନନ୍ତୁ ବୋଲି କହିଥିଲା ।

Leave A Reply

Your email address will not be published.