ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିଥିଲେ । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗରୁ ଓଡ଼ିଶା ୧୦ହଜାର ୮୪୦ କୋଟି ଟଙ୍କା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍ ମୁତାବକ ଭର୍ଟିକଲ୍ ଡିଭଲ୍ୟୁସନ୍ ୪୧ ପ୍ରତିଶତ ରହିଥିବାବେଳେ ହରାଇଜେଣ୍ଟାଲ ଡିଭଲ୍ୟୁସନ୍ ମାନଦଣ୍ଡରେ ଓଡ଼ିଶାର ଅଂଶଧନ ୪.୬୨ରୁ ୪.୫୨ ପ୍ରତିଶତକୁ ହ୍ରାସ ପାଇଛି । ଯାହାଫଳରେ ଓଡ଼ିଶା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ଜନକଲ୍ୟାଣକାରୀ ଓ ଭିତ୍ତିଭୂମି ବିକାଶ ନେଇଥିବା ଯୋଜନା ପାଇଁ ସମ୍ବଳ ଯୋଗାଡ଼ ବଡ଼ ଚାଲେଞ୍ଜ ହେବ । ଆସନ୍ତା ୨୨ରେ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲା ରାଜ୍ୟ । ପରେ ୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍ ମଧ୍ୟ ଆସିଥିଲା । ବର୍ତ୍ତମାନ ଟିକସ ପରିମାଣ କମିବା ଯୋଗୁଁ ରାଜ୍ୟ ବଜେଟ୍ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବିଗତ କିଛିବର୍ଷ ହେବ ରାଜ୍ୟର ଆର୍ଥିକ କ୍ଷେତ୍ର ସୁଦୃଢ଼ ହୋଇ ଆସୁଥିଲା । ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିଲା । ରାଜ୍ୟ ସରକାର ଏବେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ମଧ୍ୟ ଫୋକସ୍ କରି ଆସିଥିଲେ । କିନ୍ତୁ କରୋନା ସବୁ ବିଗାଡ଼ିଦେଲା । କୋଭିଡ୍ ଯୋଗୁଁ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଚାପ ବଢ଼ିଥିବାବେଳେ କେନ୍ଦ୍ରୀୟ ଅଂଶ ହ୍ରାସ ଓଡ଼ିଶା ପାଇଁ ଅଡୁଆ ପୁଣି ବଢ଼ାଇବା ଆରମ୍ଭ କରିଛି । ରାଜ୍ୟ ପାଖାପାଖି ୧୦ହଜାର ୮୪୦ କୋଟି ହରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଛନ୍ତି । ଏଥିସହିତ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଆସନ୍ତା ୫ ବର୍ଷ ଯାଏଁ ରାଜ୍ୟର ଟିକସ ଭାଗ କମିବ ବୋଲି କହିଛନ୍ତି । ଫଳରେ ରାଜ୍ୟ ରାଜକୋଷ ପାଇଁ ଚିନ୍ତା ଏବେ ବଢ଼ିଯାଇଛି । ଆଜି ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି ଓ ବାତ୍ୟା ୱାର୍ଣ୍ଣିଂ ପାଇଁ ୮୦୦ କୋଟି ଟଙ୍କା ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ ୨୦୨୧-୨୬ ମଧ୍ୟରେ ମିଳିବ ବୋଲି ଜଣାଯାଇଛି । କେନ୍ଦ୍ରୀୟ ଅଂଶ ହ୍ରାସ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ- ରାଜ୍ୟ ସରକାରଙ୍କ ପାଖରେ ମଧ୍ୟ ସମ୍ବଳ ଅର୍ଜନର ଅନେକ ବିକଳ୍ପ ରହିଛି । ଖଣି ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ଟିକସ ସଂଗ୍ରହ ରାଜ୍ୟ ସରକାରଙ୍କୁ ବିକାଶମୂଳକ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିପାରିବ ନାହିଁ । ପେଟ୍ରୋଲ, ଡିଜେଲ୍ ଉପରେ ସେସ୍ ସହ ଅନ୍ୟ ସେସ୍ ଜରିଆରେ ବହୁ ପରିମାଣର ଟିକସ ଲାଗୁ କରୁଛନ୍ତି କେନ୍ଦ୍ର ସରକାର । ଏହି ସେସ୍ରେ ରାଜ୍ୟ ଗୁଡ଼ିକର କୌଣସି ଅଂଶ ନଥାଏ । ଫଳରେ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସରୁ ଅଧିକ ଅର୍ଥ ପାଇବାରୁ ବଞ୍ôଚତ ହେଉଛନ୍ତି । ତେଣୁ ପ୍ରତ୍ୟକ୍ଷ କର ଉପରେ ଥିବା ସେସ୍କୁ କେନ୍ଦ୍ରୀୟ ଟିକସରେ ଅନ୍ତର୍ଭୁକ୍ତ କରିବାକୁ ଓଡ଼ିଶା ଦାବି କରିଆସୁଥିଲା ।