ଗୌହାଟି, ୩ ।୨: ଆସାମର କର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ମଙ୍ଗଳବାର ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ବଣ୍ଟାଯାଇଥିବା ଖାଦ୍ୟ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକ୍ ଅସୁସ୍ଥ ହୋଇପଡିଛନ୍ତି । ଦିଫୁ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନୀ ଅଧିବେଶନ ଲାଗି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ପ୍ରଥମ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହେମନ୍ତ ବିଶ୍ୱଶର୍ମା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ଦିଆଯାଇଥିଲା । ଏହି ଖାଦ୍ୟ ଖାଇବା ପରେ ଲୋକେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ପେଟ କାଟିବା ସହ ଲୋକେ ଖାଦ୍ୟ ଖାଇ ବାନ୍ତି କରିବାରେ ଲାଗିଥିଲେ । ଖାଦ୍ୟ ବିଷକ୍ରିୟା ଜଣାପଡିବାମାତ୍ରେ ଅସୁସ୍ଥ ଲୋକଙ୍କୁ ଦିଫୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୧୪୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ରାତିରେ ଜନୈକ ଅସୁସ୍ଥ ଯୁବକ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି । ମୃତ ଯୁବକଙ୍କୁ କାଙ୍ଗବୁରା ଦେ ଭାବେ ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡା. ବିଶ୍ୱଶର୍ମାଙ୍କ ଅନୁସାରେ ମୋଟ ୧୪୫ ଜଣ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨୮ ଜଣ ସାମାନ୍ୟ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ୧୧୭ଜଣ ଏବେବି ଚିକିତ୍ସାଧିନ ଅଛନ୍ତି । ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।