ସରକାରଙ୍କ ପକ୍ଷରୁ କୃଷି ସମ୍ବନ୍ଧିତ ମାମଲା ଚର୍ଚ୍ଚା ନେଇ ସହମତିବ୍ୟକ୍ତ କରିବା ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଯେଭଳି ହଙ୍ଗାମା ସୃଷ୍ଟି ହେଲା ତାହା ବାସ୍ତବିକ ବିଚିତ୍ର ଦୃଶ୍ୟ ଥିବା ମନେହୁଏ । ଏହି ହଙ୍ଗାମାକୁ ଲକ୍ଷ୍ୟ କରି ଉଭୟ ସଦନକୁ ଯେଭଳି ସମୟାନ୍ତରାଳେ ସ୍ଥଗିତ ରଖାଯାଇଥିଲା ଏଥିରୁ ଏହା ପ୍ରମାଣିତ ହୁଏ ଯେ ବିରୋଧୀମାନଙ୍କ ଉଦ୍ଦେଶ୍ୟ କେବଳ ହଙ୍ଗାମା କରିବାର ଥିଲା । ଏହା ବୁଝିବା କଷ୍ଟକର କି ଯେତେବେଳେ ବିରୋଧୀଙ୍କ ପାଖରେ କୃଷି ଆଇନ୍ ଓ ଏଥିସହ କୃଷକଙ୍କ ଆନ୍ଦୋଳନ ମାମଲାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କହି ନିଜର ମତ ପ୍ରକୃତ ମତାମତ ରଖିବାର ସୁଯୋଗ ରହିଥିଲା ସେତେବେଳେ ସେମାନେ ତାହା ନକରି କ’ଣ ପାଇଁ ହଙ୍ଗାମା କଲେ? ଏଠାରେ ସୂଚନାଯୋଗ୍ୟ ଯେ କୃଷି ବିଧେୟକ ସଂସଦର ଉଭୟ ଗୃହରେ ଯେତେବେଳେ ପାରିତ କରାଯାଇଥିଲା ସେତେବେଳେ ସେମାନେ ସଂସଦରେ ଉପସ୍ଥିତ ନଥିଲେ । ସେତେବେଳେ ବିରୋଧୀମାନେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ରଖି ସରକାରଙ୍କୁ ପ୍ରଶ୍ନ କରିଥିଲେ କି ସଂସଦର ଉଚ୍ଚ ସଦନରେ କୃଷି ବିଧେୟକ ପକ୍ଷରେ କିଭଳି ବହୁତ ଜୁଟାଇ ପାରିଲେ । ଏବେ କୃଷକ ଆନ୍ଦୋଳନ ଉଗ୍ର ହୋଇଥିବାବେଳେ ସେଥିରେ ଅଗ୍ନି ସଂଯୋଗ କରିବା କାମ କରୁଛନ୍ତି ବିରୋଧୀ । ଗତ କିଛିଦିନ ହେବ ଜଣକ ପରେ ଜଣେ ବିରୋଧୀ ଦଳ ନେତା କୃଷକଙ୍କ ଆନ୍ଦୋଳନସ୍ଥଳକୁ ଯାଇ ସେମାନଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରୁଥିବା ପରିଲକ୍ଷିତ ହେଉଛି । ବାସ୍ତବିକ ଏବେ କୃଷକଙ୍କ ଆନ୍ଦୋଳନ ବିରୋଧୀ ଦଳଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ସେମାନେ ବି ଏହି ମଉକାକୁ ସତେଯେପରି ଅପେକ୍ଷା କରି ରହିଥିଲେ । ସରକାରଙ୍କୁ ହରଡ଼ଘଣାରେ ପକାଇବା ପାଇଁ ତାଙ୍କ ପାଇଁ ଏହାଠାରୁ ଆଉ କୌଣସି ବଡ଼ ସୁଯୋଗ ନଥିବା ପରି ମନେହେଲାଣି । ଏହା ହାସ୍ୟାସ୍ପଦ ମନେହୁଏ କି ସରକାରଙ୍କୁ ଚକ୍ରବ୍ୟୁହରେ ପକାଇବା ପାଇଁ ବିରୋଧୀଦଳଙ୍କ ଭିଡ଼ରେ ଏଭଳି କିଛି ରାଜନୈତିକ ଦଳ ସାମିଲ ବି ହୋଇଯାଇଛନ୍ତି ଯେଉଁମାନେ କି ପୂର୍ବରୁ ନିଜର ନିର୍ବାଚନୀ ଘୋଷଣାପତ୍ରରେ କୃଷି ଆଇନ୍ ସପକ୍ଷରେ ଉଲ୍ଲେଖ କରିଥିଲେ । କଂଗ୍ରେସ ବି ପୂର୍ବରୁ ଏହା ଲାଗୁ କରିବା ପାଇଁ ଚେଷ୍ଟା କରିଥିଲା । ଶିବସେନା ବି କୃଷି ବିଧେୟକ ବିଲ୍କୁ ଲୋକସଭାରେ ସମର୍ଥନ ଦେଇଥିଲା । ଖାଲି ଏତିକି ନୁହେଁ ଶିବସେନା ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ବି ସର୍ବପ୍ରଥମେ କୃଷି କାନୁନ୍ ଲାଗୁ କରିବା ପାଇଁ ଆଦେଶ ଜାରି କରିଥିଲେ । ଯେତେବେଳେ ସେମାନେ ଦେଖିଲେ କି ଏହାକୁ ବିରୋଧ କରି କୃଷକମାନେ ରାଜରାସ୍ତାରେ ଏକଜୁଟ୍ ହେବା ଆରମ୍ଭ କଲେଣି ସେତେବେଳେ ଏହି ସୁବିଧାବାଦୀ ରାଜନୈତିକ ଦଳ ନିଜର ମତ ପରିବର୍ତ୍ତନ କରିଦେଇଥିଲା । ଏଭଳି କାମ ଅକାଳୀ ଦଳ ବି କରିଥିବା ନଜିର ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏଭଳି ରାଜନୈତିକ ଦଳ ନିଜର ସଂକୀର୍ଣ୍ଣ ରାଜନୈତିକ ଚରିତାର୍ଥକୁ ପୂରଣ କରିବା ପାଇଁ ନିଜର ମତ ନିମିଷକେ ମଧ୍ୟ ପରିବର୍ତ୍ତନ କରିପାରନ୍ତି । କାରଣ ସେମାନେ ଠିକ୍ ସେ ଜାଣିସାରିଲେଣି ବର୍ତ୍ତମାନ କୃଷକ ଆନ୍ଦୋଳନକୁ ଯଦି ସମର୍ଥନ ନକରୁଛନ୍ତି ତେବେ ଆଗାମୀ ଦିନରେ ସେମାନେ ରାଜନୀତିରେ ତିଷ୍ଠିବା ସମ୍ଭବ ନୁହେଁ । ତେବେ ପ୍ରକୃତ ରାଜନୀତିର ଅର୍ଥକୁ ଏଭଳି ଦଳମାନେ କିଭଳି କଦର୍ଥ ଓ କୁତ୍ସିତ କରିଦେଉଛନ୍ତି ତାହା ଭାରତବାସୀ ମର୍ମେମର୍ମେ ଅନୁଭବ କଲେଣି ।