ରାଜସ୍ୱ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉ

0 145

ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନାକୁ ପଞ୍ଚଦଶ ଅର୍ଥ କମିଶନ ପ୍ରଶଂସା କରିଥିବାବେଳେ ରାଜସ୍ୱ ସଂଗ୍ରହ ନେଇ ଚିନ୍ତାପ୍ରକଟ କରିଛନ୍ତି । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗରୁ ଓଡ଼ିଶା ୧୦ହଜାର ୮୪୦ କୋଟି ହରାଇବା ପରେ ଏହି ଚିନ୍ତା ଏବେ ବଢ଼ିଯାଇଛି । ଏଥିସହିତ ଆସନ୍ତା ୫ ବର୍ଷ ଯାଏଁ ରାଜ୍ୟର ଟିକସ ଭାଗ କମୁଥିବାରୁ ପଞ୍ଚଦଶ ଅର୍ଥ କମିଶନ ଏଥିନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ସେସ୍ ରାଜନୀତି, କ୍ରମାଗତ ଭାବେ କେନ୍ଦ୍ରୀୟ ଅନୁଦାନରେ ହ୍ରାସ ଏବଂ ସର୍ବୋପରି ଅର୍ଥ କମିଶନଙ୍କ ଅର୍ଥରେ ଅନାବଦ୍ଧ ପାଣ୍ଠିର ପରିମାଣ କମି କମି ଯାଉଥିବାରୁ ଓଡ଼ିଶାର ଆର୍ଥିକ ଅବସ୍ଥା ବିଗିଡ଼ି ଯାଇପାରେ । ଏଭଳି ସ୍ଥିତିରେ ରାଜ୍ୟ ସରକାର ମାଳ ମାଳ ଯେଉଁ ବିଶ୍ୱସ୍ତରୀୟ ପ୍ରକଳ୍ପ ଯୋଜନାର ସ୍ୱପ୍ନ ଦେଖୁଛନ୍ତି ସେଥିପାଇଁ ଟଙ୍କା କେଉଁଠୁ ଆସିବ ବୋଲି ଅର୍ଥନୀତି ବିଶାରଦମାନେ ମତପ୍ରକାଶ କରିଛନ୍ତି । ରାଜ୍ୟର ଜିଡିପି (ଜିଏସ୍ଡିପି)ରେ ଟିକସର ଆନୁପାତିକ ହାର ଅନ୍ୟ ସମତୁଲ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ଥିବା ପରିପ୍ରେକ୍ଷୀରେ ସରକାର ଏବେ ଏ ଦିଗକୁ ଆଉଥରେ ସମୀକ୍ଷା କରିବା ଅପରିହାର୍ଯ୍ୟ । ସମାନ୍ତରାଳ ଭାବେ କେଉଁ ସୂତ୍ରରୁ ଅଧିକ ସମ୍ବଳ ସଂଗ୍ରହ ହୋଇପାରିବ ଯଦ୍ୱାରା ରାଜ୍ୟ ଅର୍ଥନୀତି ଚାପଗ୍ରସ୍ତ ହେବନାହିଁ ତା’ ଉପରେ ବିଚାର ବିମର୍ଷ କରିବା ଆବଶ୍ୟକ । ରାଜ୍ୟ ଅର୍ଥନୀତିକୁ ସୁସ୍ଥ ରଖିବା ଲାଗି ସରକାର ନିଜ ସ୍ତରରେ ଆଖିବୁଜା ନିଷ୍ପତ୍ତି ନନେଇ ଅଥବା ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ନଦେଇ ସ୍ୱତନ୍ତ୍ର କମିଶନ ଗଠନ କରିବାର ବେଳ ଆସିଛି ବୋଲି ଅର୍ଥନୀତିଜ୍ଞମାନେ ମତପ୍ରକାଶ କରିଛନ୍ତି । କେଉଁ କେଉଁ କ୍ଷେତ୍ରରେ ସମ୍ବଳ ବୃଦ୍ଧିର ସୁଯୋଗ ରହିଛି, ଟିକସ ରାସ୍ତରେ କେଉଁ ବିଭାଗ ବା ବ୍ୟବସ୍ଥା କଣ୍ଟା ସାଜିଛି ସେ ସଂକ୍ରାନ୍ତରେ ସମୀକ୍ଷା କରାଯିବା ଦରକାର ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସମ୍ବଳ ଅର୍ଜନର ଅନେକ ବିକଳ୍ପ ରହିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ହିସାବ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ୱ ସମ୍ବଳରେ ନିଜସ୍ୱ ଟିକସ ରାଜସ୍ୱ ଅଂଶ ୬୮ ପ୍ରତିଶତ ରହିଛି । କିନ୍ତୁ ଓଡ଼ିଶା ବର୍ଗରେ ଯେତେ ରାଜ୍ୟ ଅଛନ୍ତି ସେମାନଙ୍କ ଏହି ହାର ପାଖାପାଖି ୧୦ ପ୍ରତିଶତ ଅର୍ଥାତ ୭୭.୮ ପ୍ରତିଶତ ରହିଛି । ତେଣୁ ଅର୍ଥନୀତି ସମୀକ୍ଷଙ୍କ କହିବା କଥା ହେଲା କର୍ଣ୍ଣାଟକ, କେରଳ, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟ କେଉଁ କ୍ଷେତ୍ରରେ କେତେ ଟିକସ ନେଉଛନ୍ତି ତାହା ଓଡ଼ିଶା ସରକାର ଦେଖିବା ଦରକାର । ଏସବୁ ତୁଳନାରେ ଆମ ରାଜ୍ୟର ଟିକସ ହାର କମ୍ ନା ଅଧିକ ରହିଛି ତାକୁ ମଧ୍ୟ ପରଖିବା ଦରକାର । ଓଡ଼ିଶାର ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ହେଲେ ଜିଏସ୍ଡିପିକୁ କୃଷିର ଅବଦାନ ସେହି ଅନୁପାତରେ ନାହିଁ । ଓଡ଼ିଶାରେ ସବୁଠାରୁ ଅଧିକ ଉତ୍ପାଦିତ ଶସ୍ୟ କହିଲେ ଧାନକୁ ବୁଝାଉଛି । କିନ୍ତୁ ଧାନ ଏବେ ବଳକା ଫସଲ । ପୁଣି ସରକାର ଅଧାରୁ ଅଧିକ ଲୋକଙ୍କୁ ଟଙ୍କିକିଆ ଚାଉଳ ମାଗଣାରେ ଦେଉଛନ୍ତି । ଏହା ଅର୍ଥନୀତିର ପରିପନ୍ଥୀ । ଏବେ ସମୟ ଆସିଛି ଯଦି ସରକାର ଲୋକଙ୍କ ହାତକୁ ଅଧିକ ଟଙ୍କା ଯିବା ପାଇଁ ରାସ୍ତା ଖୋଲିବେ ଓ ସେମାନଙ୍କର କ୍ରୟଶକ୍ତି ବଢ଼ିବ ତେବେ ଅର୍ଥନୀତି କ୍ରିୟାଶୀଳ ହେବା ସହିତ ରାଜସ୍ୱ ପରିମାଣ ବଢ଼ିବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.