ନୂଆଦିଲ୍ଲୀ, ୬ ।୨ : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇପକ୍ଷ ମଧ୍ୟରେ ଇତିମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଦୁଇଦେଶର ସେନା କମାଣ୍ଡରଙ୍କ ମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା ହୋଇସାରିଛି । ଏପର୍ଯ୍ୟନ୍ତ ସ୍ଥିତିରେ କିଛିଟା ଉନ୍ନତି ହୋଇଥିବା ଆମେ ବିଶ୍ୱାସ କରୁଥିଲୁ । କିନ୍ତୁ ଆଖିଦୃଶିଆ କୌଣସି ଅଗ୍ରଗତି ହୋଇନାହିଁ । ତେବେ ସେ କହିଛନ୍ତି ଯେ ଦୁଇପକ୍ଷ ମଧ୍ୟରେ ଆଲୋଚନା ଜାରି ରହିବ । ଏହି ପ୍ରସଙ୍ଗ ବେଶ ଜଟିଳ ଓ ଉକ୍ତ ଅଞ୍ଚଳର ଭୌଗୋଳିକ ସ୍ଥିତି ବେଶ ଦୁର୍ଗମ । ଏହାସତ୍ତେ୍ୱ ସ୍ଥିତିରେ ଉନ୍ନତି ଲାଗି ଉଦ୍ୟମ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷର ଗଲୱାନ ଘଟଣା ପରେ ଭାରତୀୟ ସେନା ପକ୍ଷରୁ ବିପୁଳ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି । ଚୀନ ପଟୁ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିବା ଲାଗି ଭାରତୀୟ ସେନା ପ୍ରସ୍ତୁତ ରହିଛି । କରୋନା ମହାମାରୀ ପରେ ଭାରତ ବଦଳି ଯାଇଛି । ଏବେ ସରକାର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି ।