ନୂଆଦିଲ୍ଲୀ, ୯ ।୨: ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କୁ ଗିରଫ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୁଲିସ୍ । ସେଦିନ ଲାଲକିଲ୍ଲାରେ ଘଟିଥିବା ଘଟଣା ପରଠୁ ଦୀପ ସିଦ୍ଧୁ ଫେରାର ଥିଲେ । ଦୀପ ଓ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଦିଲ୍ଲୀ ପୁଲିସ୍ ଘୋଷଣା କରିଥିଲା । ଗତ ଜାନୁଆରୀ ୨୬ ତାରିଖରେ ବିଭିନ୍ନ ସର୍ତ୍ତ ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରିବାକୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅନୁମତି ମିଳିଥିଲା । ତେବେ ଏହି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା । ଆନ୍ଦୋଳନକାରୀମାନଙ୍କୁ ଯେଉଁ ରାସ୍ତାରେ ଯିବାକୁ ଅନୁମତି ନଥିଲା, ସେମାନେ ସେହି ରାସ୍ତାରେ ଯାଇଥିଲେ । ସେହିପରି ସେମାନେ ଲାଲକିଲ୍ଲାକୁ ପଶି ଯାଇଥିଲେ । ଏପରିକି ସେଠାରେ ସେମାନେ ପତାକା ଉଡ଼ାଇଥିଲେ । ଏହି ସମୟରେ ଦୀପ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ । ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାକୁ ପ୍ରୟାସ କରିଥିଲା । ଆନ୍ଦୋଳନକାରୀଙ୍କ ପାଲଟା ଆକ୍ରାମଣରେ ୩୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଦୀପ ସିଦ୍ଧୁ ଟ୍ରାକ୍ଟର ରାଲି ବେଳେ କୃଷକମାନଙ୍କୁ ହିଂସା ଭିଆଇବାକୁ ଉସକାଇ ଥିଲେ ବୋଲି ଅଭିଯୋଗ ହୋଇଛି । କୃଷକ ଆନ୍ଦୋଳନରେ ଜଣେ ବିବାଦୀୟ ବ୍ୟକ୍ତିତ୍୍ୱ ଭାବେ ଉଭା ହୋଇଥିବା ଦୀପ ସିଦ୍ଧୁଙ୍କ ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୀପ ସିଦ୍ଧୁ ଷଡ଼ଯନ୍ତ୍ର କରି କୃଷକ ଆନ୍ଦୋଳନକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବ ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦୀପ ଏହାକୁ ଖଣ୍ଡନ କରିଛନ୍ତି । ଫେସ୍ବୁକ୍ରେ ଦୁଇଟି ଭିଡିଓ ପୋଷ୍ଟ୍ କରି ଦୀପ୍ କହିଥିଲେ ଯେ ଆନ୍ଦୋଳନକାରୀମାନେ ନିଜ ଇଚ୍ଛାରେ ଲାଲକିଲ୍ଲା ଅଭିମୁଖେ ଯାଇଥିଲେ । ପୁଲିସ୍ କହିଛି ଦୀପଙ୍କ ପକ୍ଷରୁ ତାଙ୍କର ଜଣେ ବନ୍ଧୁ ଏହି ଦୁଇଟି ଭିଡିଓକୁ ଫେସ୍ବୁକ୍ରେ ପୋଷ୍ଟ୍ କରିଥିଲେ । ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ୍ ଦୀପଙ୍କ ପୂର୍ବରୁ ୧୨୨ ଜଣଙ୍କୁ ଗିରଫ କରିଛି । ଆହୁରି ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।