ହିନ୍ଦୁସ୍ତାନୀ ମୁସଲିମ ହୋଇଥିବାରୁ ଗର୍ବ କରୁଛି

0 121

ନୂଆଦିଲ୍ଲୀ, ୯ ।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧୫ ତାରିଖରେ ଶେଷ ହେବ । ସେ ଆଜି ଗୃହରେ ଅବସରକାଳୀନ ଉଦବୋଧନ ଦେବା ବେଳେ ବଡ଼ କଥା କହିଛନ୍ତି । ପାକିସ୍ତାନ ନ ଯାଇ ଭାରତରେ ରହିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଓ ହିନ୍ଦୁସ୍ତାନୀ ମୁସଲିମ୍ ଭାବେ ପରିଚୟ ହାସଲ କରିବା ଗର୍ବର କଥା ବୋଲି ଆଜାଦ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି । ସେ ରାଜ୍ୟସଭାରେ କହିଛନ୍ତି, ମୁଁ ସବୁବେଳେ ଭାବେ ଯେ ଭାରତ ହେଉଛି ସ୍ୱର୍ଗ । ମୁଁ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଥିଲି । ପାକିସ୍ତାନ ଯାଇ ନଥିବା କିଛି ଭାଗ୍ୟଶାଳୀ ବ୍ୟକ୍ତିିଙ୍କ ମଧ୍ୟରେ ମୁଁ ଅନ୍ୟତମ । ମୁଁ ସବୁବେଳେ ହିନ୍ଦୁସ୍ତାନୀ ମୁସଲିମ୍ ହୋଇଥିବାରୁ ଗର୍ବ ଅନୁଭବ କରେ । ସେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଥିବାବେଳେ ଉପତ୍ୟକାରେ ଆତଙ୍କବାଦୀ ହମଲା ହୋଇଥିଲା । ସେହି ଦୁଃଖଦ କଥାକୁ ମନେ ପକାଇ ଆଜାଦ କହିଛନ୍ତି, ମୁଁ ସବୁବେଳେ ଆତଙ୍କବାଦ ଓ ଆତଙ୍କବାଦୀ ଦେଶରୁ ଲୋପ ପାଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ । ଯଦି ବିଶ୍ୱରେ କେଉଁ ମୁସଲିମ ଗର୍ବ କରିଥାଆନ୍ତି, ତା’ହେଲେ ସେମାନେ ହେଲେ ଭାରତୀୟ ମୁସଲିମ୍ । ବିଗତ କିଛି ବର୍ଷ ମଧ୍ୟରେ ଆମେ ସମସ୍ତେ ଦେଖିଛୁ ଯେ ଆଫଗାନିସ୍ତାନ ଓ ଇରାକ ଭଳି ମୁସଲିମ ବହୁଳ ରାଷ୍ଟ୍ର କେମିତି ଧ୍ୱଂସ ହୋଇଯାଇଛନ୍ତି । ସେଠାରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଲୋକ ନାହାନ୍ତି । ସେଠାରେ ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି । ହେଲେ ଆମ ଭାରତ ସବୁବେଳେ ସ୍ୱର୍ଗ ହୋଇ ରହିଛି । ମୁଁ ଏହି ସଂସଦରୁ ଅନ୍ୟ କିଛି ଶିକ୍ଷାଲାଭ କରିଛି । ଇନ୍ଦିରାଜୀ କେମିତି ଅଟଳଜୀଙ୍କ ସହ କଥା ହୁଅନ୍ତି, ସେକଥା ସବୁବେଳେ ଆମକୁ କୁହନ୍ତି । ସେ କଥାକୁ କେବେ ବି କେହି ଭୁଲି ହେବ ନାହିଁ । ଗୃହର ବିରୋଧୀ ଦଳ ନେତା କେମିତି ହେବା ଦରକାର, ସେକଥା ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଶିଖିଛି । ସେ ସବୁ କଥା ଅତି ସହଜ କରି ଦିଅନ୍ତି । ମୁଁ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ବେଳେ ଶିକ୍ଷା, ଭିତ୍ତିଭୂମି ଓ ପଲିସିଗୁଡ଼ିକ କଥା ଉଠାଇଛି । ମୁଁ ମୋର ସହଯୋଗୀ ମାନଙ୍କୁ କହିବାକୁ ଚାହେଁ ଯେ ଆମେ କିଛିଦିନ କୌଣସି ବିଷୟରେ ବିତର୍କ କରିବା, ଆଉ କିଛି ଦିନ ଆଲୋଚନା କରିବା ଓ ଆଇନକୁ ସବୁଦିନ ପାଇଁ ଅଟକାଇ ରଖିବା ନାହିଁ ବୋଲି ସେ କହିଛନ୍ତି । ଏଥିସହ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଆଜାଦ ୨୦୧୪ ଜୁନ୍ ୮ରେ ରାଜ୍ୟସଭାର ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୨୧ ଫେବୃଆରୀ ୧୫ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟସଭାରେ ଆଜାଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ । ଏପରି କି ସେ ତାଙ୍କର ପ୍ରଶଂସା କରିବା ବେଳେ କାନ୍ଦି ମଧ୍ୟ ପକାଇଥିଲେ ।

Leave A Reply

Your email address will not be published.