ଶଶି ଥରୁର ଓ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ

0 127

ନୂଆଦିଲ୍ଲୀ, ୯ ।୨: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ବିଭିନ୍ନ ରାଜ୍ୟରେ ଏମାନଙ୍କ ନାଁରେ ଦେଶଦ୍ରୋହ ଭଳି ମାମଲା ମଧ୍ୟ ରୁଜୁ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ଜବାବ ତଲବ କରିଛନ୍ତି । ନୋଟିସ୍ ଜାରି କରିବା ବେଳେ ଶଶି ଥରୁରଙ୍କ ଓକିଲ କପିଲ ଶିବଲ ପରବର୍ତ୍ତୀ ଶୁଣାଣି ଯାଏ ପୁଲିସ୍ କୌଣସି ଗିରଫଦାରୀ ନ କରିବା ଦରକାର ବୋଲି ନିବେଦନ କରିଥିଲେ । ଏହାଶୁଣି ଖଣ୍ଡପୀଠ କହିଥିଲେ, କିଛି ବି ହେବନି । କେଉଁଠି ବିପଦ ଅଛି? ଆମେ ଦୁଇ ସପ୍ତାହ ପରେ ଆପଣଙ୍କୁ ଶୁଣିବୁ । ସେ ଯାଏ କୌଣସି ଗିରଫଦାରୀ ହେବନି । ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଭୁଲ ତଥ୍ୟ ଉପସ୍ଥାପନ କରି ଚାଷୀଙ୍କୁ ଉସକାଇବା ଅଭିଯୋଗରେ ଥରୁର, ସରଦେଶାଇ ଓ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଜାନୁଆରୀ ୩୦ରେ ଏଫଆଇଆର ରୁଜୁ କରିଥିଲା । ଏହାପୂର୍ବରୁ ନୋଏଡା ପୁଲିସ୍ ମଧ୍ୟ ସେମାନଙ୍କ ବିରୋଧରେ ମାମଲା କରିଥିଲା । ମଧ୍ୟପ୍ରଦେଶରେ ମଧ୍ୟ ଏମାନଙ୍କ ବିରୋଧରେ ସମାନ ଧରଣର ଏଫଆଇଆର ହୋଇଛି ।

Leave A Reply

Your email address will not be published.