ଏମଜେ ଆକବର ବନାମ ପ୍ରିୟା ରମାନି ମାମଲା, ୧୭କୁ ଘୁଞ୍ଚିଲା ରାୟ

0 128

ନୂଆଦିଲ୍ଲୀ, ୧୦ ।୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାମ୍ବାଦିକ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାର ରାୟ ପ୍ରକାଶ ତାରିଖକୁ ଦିଲ୍ଲୀର ଗୋଟିଏ କୋର୍ଟ ଫେବୃଆରୀ ୧୭ ଯାଏ ଘୁଞ୍ଚାଇ ଦେଇଛନ୍ତି । ବୁଧବାର ଶୁଣାଣି ବେଳେ ମାମଲାକୁ ସ୍ଥଗିତ ରଖି କୋର୍ଟ ଉଭୟ ପକ୍ଷର ଲିଖିତ ଜବାବ ମିଳିଥିବା କହିଛନ୍ତି । ତେଣୁ ୧୭ ତାରିଖରେ କୋର୍ଟ କି ରାୟ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଦୁଇ ବର୍ଷ ତଳେ ଏହି ମାମଲାର ଶୁଣାଣି ରୋଜ ଆଭିନ୍ୟୁ କୋର୍ଟରେ ଆରମ୍ଭ ହୋଇଥିଲା । ଦେଶରେ ମି ଠୁ ଝଡ଼ ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା । ପ୍ରିୟା ରମାନି ସୋଶାଲ ମିଡିଆରେ ସେତେବେଳେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଥିବା ଏମଜେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ତେବେ ଏହାକୁ ଆକବର ବିରୋଧ କରି ପ୍ରିୟାଙ୍କ ନାଁରେ ଅପରାଧିକ ମାନହାନୀ ମାମଲା କରିଥିଲେ । ଏଥିସହ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି । ତେବେ ପ୍ରିୟା ୨୦୧୭ରେ ଗୋଟିଏ ସ୍ତମ୍ଭ ଓ ୨୦୧୮ରେ ଗୋଟିଏ ଟ୍ୱିଟ କରି ଆକବର ତାଙ୍କ ସହ କ’ଣ କରିଥିଲେ, ସେ କଥା କହିଥିଲେ । ଏଥିସହ ସତ୍ୟ ସର୍ବଦା ତାଙ୍କ ସହ ରହିଛି ବୋଲି କହିଥିଲେ । ପ୍ରଥମେ ପ୍ରିୟା ରମାନି ନିଜ ସ୍ତମ୍ଭରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ ହେଁ କେବେ ହେଲେ ଆକବରଙ୍କ ନାଁ ଲେଖି ନଥିଲେ । ହେଲେ ୨୦୧୮ରେ ସେ ଉକ୍ତ ସ୍ତମ୍ଭ ଆକବରଙ୍କ ଉଦ୍ଦେଶ୍ୟରେ ଲେଖିଥିବା କହିଥିଲେ । ଏହାକୁ ନେଇ ବେଶ ତୁମ୍ଭିତୋଫାନ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.