ନୂଆଦିଲ୍ଲୀ, ୧୦ ।୨: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସାକାଣ୍ଡ ଘଟଣାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଆଜି ଦିଲ୍ଲୀ ପୁଲିସ୍ ୭ ଦିନ ପାଇଁ ନିଜ ହେପାଜତକୁ ନେଇଛି । ତାଙ୍କୁ ସନ୍ଧ୍ୟାରେ ପୁଲିସ୍ କୋର୍ଟରେ ହାଜର କରିଥିଲା । ଏହାପରେ ୧୦ ଦିନ ହେପାଜତକୁ ନେବା ପାଇଁ ନିବେଦନ କରିଥିଲା । ତେବେ ଏହାକୁ ଦୀପ ସିଦ୍ଧୁଙ୍କ ଓକିଲ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ, ବର୍ତ୍ତମାନ ସିଦ୍ଧୁ ଭୁଲ ସମୟରେ ଭୁଲ ସ୍ଥାନରେ ଅଛନ୍ତି । ଏହାପରେ କୋର୍ଟ ଦୀପ ସିଦ୍ଧୁଙ୍କୁ ୭ ଦିନ ପାଇଁ ପୁଲିସ୍ ହେପାଜତକୁ ପଠାଇଥିଲେ । ଗତ ଜାନୁଆରୀ ୨୬ ତାରିଖରେ ବିଭିନ୍ନ ସର୍ତ୍ତ ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରିବାକୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅନୁମତି ମିଳିଥିଲା । ତେବେ ଏହି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା ଚାଷୀମାନେ ଲାଲକିଲ୍ଲାକୁ ପଶି ଯାଇ ସେଠାରେ ଶିଖ ପତାକା ଉଡ଼ାଇଥିଲେ । ଏହି ସମୟରେ ଦୀପ ସିଦ୍ଧୁ ବି ସେଠାରେ ଉପସ୍ଥିତ ଥିଲେ । ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାକୁ ପ୍ରୟାସ କରିଥିଲା । ତେବେ ସେମାନଙ୍କ ପାଲଟା ଆକ୍ରାମଣରେ ୩୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଦୀପ ସିଦ୍ଧୁ ଟ୍ରାକ୍ଟର ରାଲି ବେଳେ କୃଷକମାନଙ୍କୁ ହିଂସା ଭିଆଇବାକୁ ଉସକାଇ ଥିଲେ ବୋଲି ଅଭିଯୋଗ ହୋଇଛି । କୃଷକ ଆନ୍ଦୋଳନରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଥିବା ଦୀପ ସିଦ୍ଧୁଙ୍କ ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୀପ ସିଦ୍ଧୁ ଷଡ଼ଯନ୍ତ୍ର କରି କୃଷକ ଆନ୍ଦୋଳନକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବା ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି । ଆଜି ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ସକାଳ ୧୦.୪୦ରେ ଦୀପ ସିଦ୍ଧୁଙ୍କୁ କର୍ଣ୍ଣାଲ ବାଇପାସରୁ ଗିରଫ କରିଥିଲା । ଏବେ ହିଂସକାଣ୍ଡରେ ତାଙ୍କ ଭୂମିକା କ’ଣ ଥିଲା, ତା’ର ବିସ୍ତୃତ ତଥ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଦୀପ ସିନ୍ଧୁଙ୍କ ବିଷୟରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ୟ ଦିଲ୍ଲୀ ପୁଲିସ୍ ଘୋଷଣା କରିଥିଲା ।