ନୂଆଦିଲ୍ଲୀ, ୧୧ ।୨: ନବଜାତ ଶିଶୁଟି ଜନ୍ମ ହେବା ପରେ ବାପା-ମା’ଙ୍କର ଖୁସି ନକହିଲେ ସରେ । ଜନ୍ମ ପରେ ବାପା-ମା’ ନିଜ ଶିଶୁର ସୁସ୍ଥ କାମନା କରିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଜଣେ ଶିଶୁକନ୍ୟା କଥା କହିବୁ ଯାହାକୁ ଜନ୍ମ ହେବାର ୬ମାସ ବି ହୋଇନି, କିନ୍ତୁ ସେ ପ୍ରତିଦିନ ନିଜ ଜୀବନ ସହ ସଂଘର୍ଷ କରୁଛି । ସେହି ଶିଶୁକନ୍ୟା ଜଣକ ହେଉଛନ୍ତି ତୀରା କାମତ । ତୀରା ଏକ ବିରଳ ରୋଗରେ ଆକ୍ରାନ୍ତ ଅଛନ୍ତି, ଯାହାକୁ ସ୍ପାଇନାଲ୍ ମସ୍କୁଲର ଏଟ୍ରୋଫୀ କୁହାଯାଏ । ଏହା ଏଭଳି ଏକ ରୋଗ, ଯାହାର ଚିକିତ୍ସା କେବଳ ନାମକ ଏକ ବିଶେଷ ଇଞ୍ଜେକ୍ସନ୍ ଦ୍ୱାରା ସମ୍ଭବ । ଏହି ଇଞ୍ଜେକ୍ସନକୁ ଆମେରିକାରୁ ମଗାଇବାକୁ ପଡ଼ିବ ଏବଂ ଏଥିରେ ଚିକିତ୍ସା ପାଇଁ ପାଖାପାଖି ୧୬କୋଟି ଟଙ୍କା ଖର୍ଚ୍ଚ ହେବ । ତା’ ପୁଣି ବିନା ଟ୍ୟାକ୍ସରେ ହେବ । ଏଥିରେ ଇମ୍ପୋର୍ଟ ଡ୍ୟୁଟି ଓ ଟ୍ୟାକ୍ସକୁ ଯଦି ମିଶାଯିବ ତାହେଲେ ଏହାର ଦାମ ୨୨ କୋଟି ହେବ । ଯାହା କୌଣସି ମଧ୍ୟବର୍ଗୀୟ ପରିବାର ପାଇଁ ଏହି ରୋଗର ଚିକିତ୍ସା କରାଇବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ କୁନି ଶିଶୁର ବାପା ମିହିର କାମତ ଓ ମା’ ପ୍ରିୟଙ୍କା କ୍ରାଉଣ୍ଡଫଣ୍ଡିଂ ଜରିଆରେ ଏହି ଟଙ୍କା ଜମା କରିଛନ୍ତି । ସୋଶାଲ ମିଡିଆରେ ଏକ ପେଜ୍ ତିଆରି କରି ତୀରାର ମାତାପିତା ପାଖାପାଖି ୧୫କୋଟି ଟଙ୍କା ଯୋଗାଡ଼ କରିଥିବା ଜଣାପଡ଼ିଛି । ତେବେ ବଡ଼ କଥା ହେଉଛି ଶିଶୁଟିର ଚିକିତ୍ସାରେ ୬.୫ କୋଟି ଟଙ୍କାର ଟ୍ୟାକ୍ସ ଲାଗିଥାନ୍ତା । ହେଲେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହସ୍ତକ୍ଷେପ ପରେ ମୋଦି ସରକାର ଇଞ୍ଜେକ୍ସନ ଉପରେ ଲାଗିବାକୁ ଥିବା ସମସ୍ତ ଟ୍ୟାକ୍ସ (୨୩ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଓ ୧୨ ପ୍ରତିଶତ ଜିଏସଟି)କୁ ଛାଡ଼ କରିଦେଇଛନ୍ତି, ଯାହାର ମୂଲ୍ୟ ପାଖାପାଖି ସାଢ଼େ ୬କୋଟି ଟଙ୍କ ହେବ । ଏହି ମାମଲା ସାମ୍ନାକୁ ଆସିବା ପରେ ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଏବଂ ଆମେରିକାରୁ ଆସିବାକୁ ଥିବାରୁ ଏହି ଇଞ୍ଜେକ୍ସନକୁ ଟ୍ୟାକ୍ସ ଫ୍ରି’ କରିବାକୁ ନିବେଦନ କରିଥିଲେ । ଏବେ ମୋଦି ସରକାରଙ୍କ ଏହି ପଦକ୍ଷେପ ଏବଂ ଲୋକଙ୍କ ସହାୟତା କାରଣରୁ ଶିଶୁଟିର ଚିକିତ୍ସା ବାଟ ଫିଟି ଯାଇଛି । ଆମେରିକାର ଖୁବଶୀଘ୍ର ଏହି ଇଞ୍ଜେକ୍ସନ୍ ମଗାଯିବ ।