ଚେନ୍ନାଇ, ୧୨ ।୨: ତାମିଲନାଡୁର ବିରୁଦ୍ଧୁନଗରରେ ଥିବା ଗୋଟିଏ ବାଣ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏଯାଏ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ କହିଛି ଯେ ସାଥୁର ନିକଟ ଅଚନଗୁଲାମ ଅଞ୍ଚଳରେ ଏହି ଘରୋଇ ବାଣ ତିଆରି କାରଖାନାଟି ରହିଥିଲା । କେଉଁ କାରଣରୁ ନିଆଁ ଲାଗି ସେକଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି । କିନ୍ତୁ ବାଣ ତିଆରି କରିବା ପାଇଁ କାରଖାନାରେ କିଛି କେମିକାଲ ମିଶ୍ରଣ କରାଯାଉଥିବା ବେଳେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ଖବର ମିଳିବା ପରେ ଏକାଧିକ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ସାମାନ୍ୟ ଆୟତ୍ତ ହୋଇପାରିଛି । ଏବେ ବି ଦମକଳ ବାହିନୀ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରୁଛନ୍ତି । ସେହିପରି ପୁଲିସ୍ ମଧ୍ୟ ଅଗ୍ନିକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ।