କେରଳକୁ ୧୧.୭ କୋଟି ଟଙ୍କା ଦେବାକୁ ମନା କଲା ପଦ୍ମନାଭସ୍ୱାମୀ ମନ୍ଦିର

0 102

ନୂଆଦିଲ୍ଲୀ, ୧୨ ।୨: ମହାମାରୀ କରୋନା ଯୋଗୁ କେରଳର ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ମନ୍ଦିର ବ୍ୟାପକ ଆର୍ଥିକ କ୍ଷତି ସହିଛି । ଏହି କାରଣରୁ ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଟଙ୍କା ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ମନା କରିଦେଇଛନ୍ତି । ଏହି ବାବଦରେ ମନ୍ଦିର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧୧.୭ କୋଟି ଟଙ୍କା ଦେବାର ଥିଲା । ହେଲେ ଆଜି ମନ୍ଦିରର ଅସ୍ଥାୟୀ କମିଟି ଟଙ୍କା ଦେବାକୁ ନିଜର ଅକ୍ଷମତା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ।
ମନ୍ଦିର ବ୍ୟାପାର ବୁଝିବା ପାଇଁ ଗତବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୁଇଟି କମିଟି ଗଠନ କରିଥିଲେ । ଏହା ମଧ୍ୟରୁ ଗୋଟିଏ କମିଟି ଆଜି କହିଛି, କରୋନା ଯୋଗୁ ଦାନରେ ମିଳୁଥିବା ଅର୍ଥ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ତେଣୁ ଟଙ୍କା ପୈଠ କରିବାକୁ ଆଉ କିଛି ଅତିରିକ୍ତ ସମୟ ଦରକାର । କୋର୍ଟ କହିଛନ୍ତି ଆମେ ଏବେ କୌଣସି ନିର୍ଦ୍ଦେଶ ପାରିତ କରିପାରିବୁ ନାହିଁ । କେରଳ ସରକାର ଏହି ଅନୁରୋଧ ଉପରେ ବିଚାର କରନ୍ତୁ । ପୂର୍ବରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା, ତା’ହା ବର୍ତ୍ତମାନ ଅନୁସରଣ କରାଯିବ । କରୋନା ପାଇଁ ଦେଶରେ ଗତବର୍ଷ ମାର୍ଚ୍ଚରେ ଲକଡାଉନ ଜାରି କରାଯାଇଥିଲା । ସେତେବେଳେ ଏହି ମନ୍ଦିର ମଧ୍ୟ ବନ୍ଦ ହୋଇଥିଲା । କରୋନା କଟକଣା ମଧ୍ୟରେ ଅଗଷ୍ଟ ୨୬ରୁ ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ହୋଇଥିଲା । ତେବେ ମନ୍ଦିରର ୧୦ ଜଣ ପୁରୋହିତଙ୍କ ସମେତ ୧୨ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଏହାକୁ ଅସ୍ଥାୟୀ ଭାବେ ଅକ୍ଟୋବର ମାସରେ ପୁଣି ବନ୍ଦ କରାଯାଇଥିଲା । ଏହାପରେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିୟମ ଲାଗୁ କରି ମନ୍ଦିର ଖୋଲା ଯାଇଥିଲା ।

Leave A Reply

Your email address will not be published.