ଭୁବନେଶ୍ବର ୨୦।୨: କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ସିବିକେ ମହାନ୍ତି କିଛି ପ୍ରତିକ୍ରିୟା ରଖିଛନ୍ତି । ଏବେ କମ୍ କେସ୍ ଆସୁଥିବାରୁ ଲକ୍ ଡାଉନ୍ ର ଆବଶ୍ୟକତା ନାହିଁ । କେସ୍ ବଢିଲେ ଲକ୍ ଡାଉନ୍ କଥା ବିଚାର କରାଯିବ । ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ ଲକ୍ ଡାଉନ୍ ହୋଇଛି । ସେଠି ବ୍ରିଟେନ, ଆମେରିକା ପରି ସଂକ୍ରମଣ ବଢିନି । ଲୋକେ ସଚେତନ ହେଲେ ଲକ୍ ଡାଉନ୍ ଏଡେଇ ହେବ । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମଣ ଭିନ୍ନ ଭିନ୍ନ । ସରକାର ସମସ୍ତ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସେପଟେ ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଓଡିଶା ସରକାର ସତର୍କ ହୋଇ ସାନି ସତର୍କତା ଜାରି କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଥିଲେ । ଦେଶର କିଛି ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଥିଲେ। ଅନ୍ୟ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ଦେଖିବାକୁ ମିଳିବାରୁ ଓଡିଶାରେ ମଧ୍ୟ କରୋନା ପ୍ରକୋପ ବଢିପାରେ। ତେଣୁ ସତର୍କ ନହେଲେ କିମ୍ବା ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନନେଲେ କରୋନା ବଢିପାରେ ବୋଲି ରାଜ୍ୟ ସରକାର କହିଥିଲେ । ସ୍ଥିତି ଉପରେ ନଜର ରଖି ସଂକ୍ରମଣ ଯେମିତି ନବଢେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଗହଳିପୂର୍ଣ୍ଣ ସ୍ଥାନ ତଥା ବଜାର ଓ ଧାର୍ମାନୁଷ୍ଠାନ ଉପରେ କଟକଣା ବଢାଇବା ଏବଂ ଗାଇଡ୍ ଲାଇନ୍ ଅନୁଯାୟୀ ଆବଶ୍ୟକ ଟେଷ୍ଟିଂ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟରେ ପୁଣି ଥରେ ଲକ୍ ଡାଉନ୍ ହେବ କି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଡିଏମଇଟି ସିବିକେ ମହାନ୍ତି ଏବେ ଲକ୍ ଡାଉନ୍ ଦରକାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।