ପ୍ରାୟ ବର୍ଷେ ହେଲା ସମଗ୍ର ବିଶ୍ୱବାସୀଙ୍କୁ କରୋନା କବ୍ଜା କରି ରଖିଛି । କିଛିମାସ ହେଲା ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲା । କିନ୍ତୁ ଏବେ ପୁଣି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ସବୁଠାରୁ ଉଦ୍ବେଗଜନକ । କରୋନା ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହିତ ଅନେକ ଲୋକ ଜୀବିକାକୁ ହରାଇ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ବେଳେ ଲୋକେ ଅଣ୍ଟା ସଳଖିବା ପାଇଁ ଚେଷ୍ଟା କରୁଛନ୍ତି । ଅସଜଡ଼ା ଅର୍ଥନୀତିକୁ ସଜାଡ଼ିବା ପାଇଁ ସରକାର ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ମାତ୍ର ପୁଣି ଏହି କରୋନା ମହାମାରୀ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି । ବ୍ରିଟେନ୍ ଷ୍ଟ୍ରେନ୍ ପରେ ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମହାରାଷ୍ଟ୍ରରେ ପୁଣି ଲକ୍ଡାଉନ୍ ଆରମ୍ଭ ହେବାକୁ ଯାଉଛି । ଅମରାବତୀ ଜିଲ୍ଲାରେ ଶନିବାର ୮ଟାରୁ ସୋମବାର ସକାଳ ୭ଟା ଯାଏଁ ଲକ୍ଡାଉନ୍ ବଳବତ୍ତର ରହିବ । ଅନ୍ୟପକ୍ଷରେ ଜବତମାଲରେ ଲକ୍ଡାଉନ୍ ଲାଗିନଥିବା ବେଳେ ଅନ୍ୟ କିଛି କଟକଣା ଲଗାଯାଇଥିବା ଜଣାଯାଇଛି । ଜବତମାଲରେ ୨୮ ଫେବୃୟାରୀ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ଫଙ୍କସନ୍, ସିନେମା ହଲ୍ ଏବଂ ବିବାହ କାର୍ଯ୍ୟକ୍ରମରେ କ୍ଷମତା ଅନୁସାରେ ୫୦ ପ୍ରତିଶତ ଲୋକ ହିଁ ଏକତ୍ର ହୋଇପାରିବେ । ଏହାଛଡ଼ା ଅନ୍ୟ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ଖାଲି ମହାରାଷ୍ଟ୍ର ନୁହେଁ କେରଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାକାର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଚିନ୍ତା ପୁଣି ବଢ଼ିଯାଇଛି । କଟକଣା ଟିକେ କୋହଳ ହେବା ମାତ୍ରେ ଆମେମାନେ ଏତେ ବେପରୁଆ ହୋଇଯାଉଛେ ଯେ କୌଣସି ଗାଇଡ୍ଲାଇନ୍କୁ ମାନିବାକୁ ପ୍ରସ୍ତୁତ ହେଉନେ । ଯଦ୍ୱାରା ନିୟନ୍ତ୍ରଣକୁ ଆସୁଥିବା ସ୍ଥିତି ପୁଣି ବିଗିଡ଼ିବା ଆରମ୍ଭ କରିଛି । ସାଧାରଣତଃ ତିନୋଟି କାର୍ଯ୍ୟକୁ ଯଦି ଆମେ ମାନନ୍ତେ ତେବେ ଏଭଳି ଅଘଟଣ ଘଟନ୍ତା ନାହିଁ । ସାମାଜିକ ଦୂରତ୍ୱ, ମାସ୍କ, ନିୟମିତ ହାତ ଧୋଇବା ଆଦି କାର୍ଯ୍ୟକୁ ଯଦି ଆମେ ସଠିକ୍ ଭାବେ ପାଳନ କରିବା ତେବେ ଏଥିରୁ ରକ୍ଷା ପାଇପାରନ୍ତେ । କେତେକ ଅମାନିଆଙ୍କ ଯୋଗୁଁ ସ୍ଥିତି ପୁଣି ବିଗିଡ଼ିବା ଆରମ୍ଭ ହେଲାଣି । ଧିରେ ଧିରେ ସମସ୍ତ କଟକଣା ହଟୁଥିବା ବେଳେ ସ୍ୱାଭାବିକ ଜୀବନଯାତ୍ରା ଫେରିଆସୁଥିବା ସମୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ବାସ୍ତବିକ ଚିନ୍ତାର ବିଷୟ ହୋଇଛି । ଆଗରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁରୋଧ କରିଛନ୍ତି ଯେ ସାମାନ୍ୟ ଢ଼ିଲାପଣ ପୁଣି ବିପଦକୁ ଡାକିଆଣିବ । କରୋନା ହଟିନାହିଁ । ଏହା ଆମ ଚତୁଃପାଶ୍ୱର୍ରେ ଅଛି । ଟିକିଏ ଅସାବଧାନତା ପୁଣି ଆମ ଜୀବନଯାତ୍ରାକୁ ପ୍ରଭାବିତ କରିବ । ତେଣୁ ସମସ୍ତେ କୋଭିଡ୍ ଗାଇଡ୍ଲାଇନ୍କୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଆମେ କରୁଛେ କ’ଣ? ଆମର ଏହି ବେପରୁଆ ମନୋଭାବ ପୁଣି ଏକ ବଡ଼ ବିପଦକୁ ଯେ ନଡାକିଆଣିବ ତାହା କହିହେବ ନାହିଁ ।