ନୂଆଦିଲ୍ଲୀ: ଦେଶରେ ଏବେ ତେଲ ଦର ବେଲଗାମ୍ । ରାଜସ୍ଥାନରେ ତେଲ ଦର ଶତକ ମାରି ସାରିଲାଣି । ଅନ୍ୟ ସ୍ଥାନରେ ଶତକ ପାଖାପାଖି ରହିଛି ତେଲ ଦର । ଏହାକୁ ନେଇ ସାଧାରଣ ଲୋକଙ୍କଠୁ ବ୍ୟବସାୟୀ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି । କେନ୍ଦ୍ରର ଶାସକ ଦଳ ବିଜେପିର ନେତାମାନେ ବିଭନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ କହୁଛନ୍ତି ସରକାର ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯେଉଁ ଟିକସ ଆଦାୟ ହେଉଛି ତାହା ଦେଶର ବିକାଶରେ ନିବେଶ ହେଉଛି । ଅର୍ଥାତ ଦର କମିବା ନେଇ ସରକାର ଏବେ ଚିନ୍ତା କରୁ ନାହାନ୍ତି କି ଟିକସ କମାଇବା ନେଇ ମଧ୍ୟ ସରକାର ଚିନ୍ତା କରୁ ନାହାନ୍ତି । ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ନିଜ ଦଳର ସରକାରକୁ ଘେରିଛନ୍ତି । ସେ ଲେଖିଛନ୍ତି ଅଳ୍ପ କେତେକ ପ୍ରସଙ୍ଗରେ ଲୋକଙ୍କ ସ୍ୱର ସ୍ପଷ୍ଟ ଏବଂ ଉଚ୍ଚ ହୁଏ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଏବେ ସ୍ୱର ଉତ୍ତୋଳନ କରୁଛନ୍ତି । ଏଭଳି ସ୍ଥିତିରେ ସରକାର ଦର ବୃଦ୍ଧି ପ୍ରସଙ୍ଗରେ ମତ ରଖିବା ଦରକାର । ଏଥିସହ ସରକାର ଟିକସ ଛାଡ କରିବା ଦରକାର ବୋଲି ସୁବ୍ରମଣ୍ୟମ ଲେଖିଛନ୍ତି । ସୂଚନାଯୋଗ୍ୟ ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋଧିତ ତେଲ ଉତ୍ତୋଳନକାରୀ ଦେଶଙ୍କ ସହ ଆଲୋଚନା କରିଥିଲେ । ଦର ବୃଦ୍ଧି ହେଉଥିବାରୁ ଅଶୋଧିତ ତେଲର ଦାମକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ କରିଥିଲେ । ସୂଚନାଯୋଗ୍ୟ, କେବଳ ଜାନୁଆରୀ ଏବଂ ଫେବ୍ରୁଆରୀ ମାସ ଭିତରେ ଦେଶର ତେଲ ଦର ୬ଟଙ୍କା ୭୭ ପଇସା ବଢ଼ି ସାରିଲାଣି । ତେଲ ଦରବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି । ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି । ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି । ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି ।