ଫ୍ଲୋର ଟେଷ୍ଟ ପୂର୍ବରୁ କଂଗ୍ରେସ ସରକାରକୁ ଆଉ ଏକ ଶକ୍ତ ଝଟକା

0 139

ପୁଡୁଚେରୀ, ୨୧ ।୨: ସୋମବାର ପୁଡୁଚେରୀର ନାରାୟଣ ସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଏହା ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ରାଜଭବନ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଲକ୍ଷ୍ମୀ ନାରାୟଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ରାଜ୍ୟର ଶାସକ ଦଳ କଂଗ୍ରେସର ବିଧାୟକ ସଂଖ୍ୟା ଆସି ୧୩ରେ ପହଞ୍ଚଛି । ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର କଂଗ୍ରେସର ବୈଠକ ବସିବାର ଅଛି । ହେଲେ ଏହା ପୂର୍ବରୁ ଆଉ ଜଣେ ବିଧାୟକ ଇସ୍ତଫା ଦେବା ନାରାୟଣସ୍ୱାମୀ ସରକାର ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯଦି ନାରାୟଣସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବେ ତାହେଲେ ସରକାର ଭାଙ୍ଗିଯିବ । ଗତ ସପ୍ତାହରେ ଶାସକ ଦଳ କଂଗ୍ରେସର ପାଞ୍ଚ ବିଧାୟକ ଇସ୍ତଫା ଦେଇଥିଲେ । ଏହାପରେ ଫେବୃଆରୀ ୨୧ରେ ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ମୋଟ୍ ୬ ଜଣ ବିଧାୟକ ଇସ୍ତଫା ଦେବା ପରେ ପୁଡୁଚେରୀର ନାରାୟଣସ୍ୱାମୀ ସରକାରକୁ ବଡ଼ ଝଟକା ଲାଗିଛି । ପାଞ୍ଚ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ବିଧାନସଭାରେ ସାବ୍ୟସ୍ତ କରିବା ପାଇଁ ନବ ନିଯୁକ୍ତ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଏ ନେଇ ପୂର୍ବରୁ କହିଥିଲେ ତାଙ୍କ ଦଳ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ରହିଛନ୍ତି । ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବା ସେ କହିଥିଲେ । ଅନ୍ୟପଟେ ତିନି ଜଣ ବିଧାୟକ ମନୋନୀତ ହୋଇଛନ୍ତି । ସେମାନେ ବିଧାନସଭାର ଫ୍ଲୋର ଟେଷ୍ଟ ଦେଇ ପାରିବେ ନାହିଁ ବୋଲି ନାରାୟଣସ୍ୱାମୀ କହିଛନ୍ତି । ଏ ନେଇ ଆଇନବିଶାରଦଙ୍କ ସହିତ ଆଲୋଚନା ଚାଲିଥିବା ସେ କହିଥିଲେ । କଂଗ୍ରେସ ୩୦ ଆସନ ବିଶିଷ୍ଟ ବିଧାନସଭାରେ ୧୫ଟିରେ ବାଜିମାତ କରିଥିଲା । ସେହିପରି ଡିଏମକେର ୩ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ନାରାୟଣସାମୀ ସରକାରଙ୍କୁ ସମର୍ଥନ କରିଥିଲେ । ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଦରକାର ଥିବା ବେଳେ କଂଗ୍ରେସ ଏହାକୁ ହାସଲ କରିନେଇଥିଲା । ଇତି ମଧ୍ୟରେ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେବା ଓ ଜଣଙ୍କୁ ଦଳ ବିରୋଧୀ କାମ ପାଇଁ ବିଦା କରିବା ପରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଛି । ଏବେ ବି ୩ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକ ଦଳ ସହ ରହିଛନ୍ତି । ତେଣୁ କଂଗ୍ରେସ ପାଖରେ ୧୩ ଜଣ ବିଧାୟକଙ୍କ ସମର୍ଥନ ରହିଛି ।

Leave A Reply

Your email address will not be published.