କୋଲକାତା, ୨୧ ।୨: ବଢ଼ିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାଙ୍କ ଅଡୁଆ । ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପସିଲା ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁ ପଚରାଉଚରା କରିବା ପାଇଁ ସମନ ଦେବାକୁ ତାଙ୍କ ଘରେ ଆଜି ସିବିଆଇର ଏକ ଟିମ ପହଞ୍ଚିଥିଲା । ତଦନ୍ତକାରୀ ସଂସ୍ଥା ମୁତାବକ, କୋଇଲା ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ସମନ ଜାରି କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ପଚରାଉଚରା କରାଯିବ । କୋଇଲା ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବାକୁ ତାଙ୍କୁ କୁହାଯାଇଛି । କୋଇଲା ମାଫିଆ ନିୟମିତ ଭାବେ ବଙ୍ଗଳାର ଶାସକ ଟିଏମସିର ନେତାମାନଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ରହିଛି । ଏହି ଲାଞ୍ଚ ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ଚ୍ୟାନେଲ କରାଯାଇଥିଲା, ଯାହାର ତଦନ୍ତ ଚାଲିଛି । ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ତଦନ୍ତକାରୀ ଟିମ୍ ଅଭିଷେକ ବାନାର୍ଜୀଙ୍କ ନିକଟ ସମ୍ପର୍କୀ ଏବଂ ବନ୍ଧୁବାନ୍ଧବଙ୍କ ଘରେ ଚଢ଼ାଉ କରି ସାରିଛି । ଗତବର୍ଷ ଡିସେମ୍ୱର ୩୧ ତାରିଖରେ ତ୍ରୁଣମୂଳ ଯୁବ କଂଗ୍ରେସ ନେତା ବିନୟ ମିଶ୍ରଙ୍କ ଘର ଓ ଅଫିସ ସମେତ ଏକକାଳୀନ ୩ଟି ସ୍ଥାନରେ ସିବିଆଇ ରେଡ କରିଥିଲା । ବିନୟ ହେଉଛନ୍ତି ଅଭିଷେକଙ୍କ ଅତି ଘନିଷ୍ଠ । ସେ ଏହି ମାମଲାରେ ଫେରାର ଅଛନ୍ତି । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର କୁନୁଷ୍ଟୋରିଆ ଏବଂ କାଜୋରିଆ କୋଇଲା ଅଞ୍ଚଳରୁ ବେଆଇନ ଖଣି ଖନନ ଏବଂ କୋଇଲା ଚୋରି ଘଟଣାର ତଦନ୍ତ ପାଇଁ ସିବିଆଇ ଗତ ବର୍ଷ ନଭେମ୍ବରରେ ଏକ ମାମଲା ରୁଜୁ କରିଥିଲା ।