ଦୁଇ ସାଙ୍ଗକୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ
କାନପୁର, ୨୧ ।୨: ଉତ୍ତରପ୍ରଦେଶର କାନ୍ପୁର୍ରେ ସାମାନ୍ୟ ବଚସାରୁ ଦୁଇ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଦୁଇ ବନ୍ଧୁଙ୍କୁ ଛୁରୀ ଏବଂ କୁରାଡ଼ିରେ ଆକ୍ରମଣ କରିବା ପରେ ଦୁହିଁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିବା ପରେ ଅଭିଯୁକ୍ତ ସେମାନଙ୍କୁ ଧମକ ଦେଇ ଭଗାଇ ଦେଇଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ନବାବଗଞ୍ଜର ଉଜାରିପୁରୱା ଗ୍ରାମରେ ଘଟିଛି । ଏହି ଗ୍ରାମର ଜୟରାମ ନିଶାଦଙ୍କ ୨୬ ବର୍ଷର ପୁଅ ରାଜକୁମାର ଚିତ୍ର ଆଙ୍କିବା କାମ କରୁଥିଲେ । ପାରମିଆପୁରୱା ନିବାସୀ ତାଙ୍କ ବନ୍ଧୁ ରବି କୁମାର ଶୁକ୍ରବାର ରାତିରେ ସାଢ଼େ ଆଠଟା ବେଳକୁ ତାଙ୍କୁ ଭେଟିବାକୁ ଆସିଥିଲେ । ଦୁହେଁ ପାଖ ଏକ ସ୍ଥାନକୁ ଯାଇଥିଲେ । ବାଟରେ ସେହି ଗ୍ରାମର ସଞ୍ଜୀବନଙ୍କ ପୁଅ ଶିବମ, ତାଙ୍କ ବନ୍ଧୁ ବିକାଶ, ବିଶାଲ ଏବଂ ଆକାଶଙ୍କ ସହ ସେମାନଙ୍କର କିଛି ଝଗଡ଼ା ହୋଇଯାଇଥିଲା । ଏହାପରେ ଗ୍ରାମବାସୀ ଏଥିରେ ହସ୍ତକ୍ଷେପ କରି ସମାଧାନ କରିଥିଲେ । ଯେତେବେଳେ ରାଜକୁମାର ଏବଂ ରବି ରାତି ୧୧ଟାରେ ଯାଇଥିବା ସ୍ଥାନରୁ ଫେରୁଥିଲେ, ସେତେବେଳେ ଅଭିଯୁକ୍ତମାନେ ସେମାନଙ୍କୁ ହନୁମାନ ମନ୍ଦିର ନିକଟରେ ଅଟକାଇ ଥିଲେ ଏବଂ ତାଙ୍କ ଉପରେ ଛୁରୀ ଓ କୁରାଡ଼ିରେ ଆକ୍ରମଣ କରିଥିଲେ । ପ୍ରଥମେ ସେ ରାଜକୁମାରଙ୍କୁ କୁରାଢ଼଼ୀରେ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ହିଁ ରାଜକୁମାର ଟଳି ପଡ଼ିଥିଲା । ଏହା ଦେଖି ରବି ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ତାକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହିପରି ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା । ରବିକୁ ହାଣିବା ପରେ ସେମାନେ ତା ଉପରକୁ ଗୁଳି ଚଳାଇଥିଲେ । ରାଜକୁମାରର ହତ୍ୟା ପରେ ମଧ୍ୟ ତା ଉପରକୁ ସେମାନେ ଅତି ନୃଶଂସ ଭାବେ ଗୁଳି ଚଳାଇଥିବା ଜଣାପଡ଼ିଛି । ତେବେ ପୋଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇପାରି ନଥିବା ଜଣ ପଡ଼ିଥିବା ବେଳେ ସାରା ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଥିବା ଦେଖିବାକୁ ମିଳିଛି ।