ଏବେ ମୋ ସମୟ ଶେଷ କହି ଟଳି ପଡ଼ିଲେ ଚାଷୀ ନେତା

0 159

ଚଣ୍ଡିଗଡ଼, ୨୨ ।୨: ଭାଷଣ ଦେଉଥିବା ବେଳେ ଟଳିପଡ଼ିଲେ ଚାଷୀ ନେତା । କୃଷି ଆଇନକୁ ବିରୋଧ କରି ନିଜର ଭାଷଣ ରଖିବା ପରେ ଏବେ ମୋର ସମୟ ଶେଷ ବୋଲି କହିଥିଲେ ଚାଷୀ । ଏହା ପରେ ପରେ ସେ ଷ୍ଟେଜ ଉପରେ ଟଳିପଡ଼ିଥିଲେ । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ମୃତ ଚାଷୀଜଣକ ହେଲେ କୀର୍ତ୍ତି କିଷାନ ୟୁନିୟନର ମୁଖ୍ୟ ମାଷ୍ଟର ଦାତାର ସିଂହ । ସ୍ୱାଧୀନତା ସଂଗ୍ରାମୀ ଉଜାଗର ସିଂଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦାତାର ସିଂ ଅମୃତସରର ବିର୍ସା ବିହାରରେ ପହଞ୍ଚିଥିଲେ । ସେଠାରେ ଭାଷଣ ଦେବା ପରେ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । କୃଷକମାନଙ୍କ ଆନ୍ଦୋଳନ ବିଷୟରେ ଷ୍ଟେଜ ଉପରୁ ନିଜର ମତାମତ ଦେଉଥିବା ଦାତାର ସିଂ କହିଥିଲେ ଯେ, ବିଦାୟ! ଏବେ ମୋର ସମୟ ସରିଯାଇଛି । ଏହା କହି ସେ ଚେୟାରରେ ବସିବା ମାତ୍ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ଦାତାର ସିଂ ତିନି ଦିନ ପୂର୍ବରୁ ଦିଲ୍ଲୀ ଧାରଣାରୁ ଫେରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅମୃତସର ଆସିଥିଲେ । ମଞ୍ଚକୁ ଡାକି ତାଙ୍କୁ ସମ୍ମାନିତ କରାଯିବାର ଥିଲା । କିନ୍ତୁ ଏହାପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । କୃଷି ଆଇନ ପ୍ରତ୍ୟାହାର ନେଇ ଦାତାର ସିଂ ମଧ୍ୟ ଅନେକ ପ୍ରଦର୍ଶନରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ସରକାର ସମାଧାନ ଖୋଜିବା ପରିବର୍ତ୍ତେ କୃଷକ ନେତାମାନଙ୍କ ମଧ୍ୟରେ ମତଭେଦ କରିବାରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.