କୋଲକାତା, ୨୨ ।୨: କରୋନା ମହାମାରୀ ଭିତରେ ଏବେ ପଶ୍ଚିମବଙ୍ଗରେ କାନାଇନ୍ ପାରଭୋ ଭାଇରସ ଆତଙ୍କ ଦେଖାଦେଇଛି । କୁକୁରଙ୍କୁ ଏହି ଭାଇରସ ଆକ୍ରମଣ କରି ସେମାନଙ୍କ ଜୀବନ ନେବା ଆରମ୍ଭ କରିଛି । ସ୍ଥିତି ଏପରି ହୋଇଛି ଯେ ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁରଙ୍କ ଜୀବନ ଗଲାଣି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ କୁକୁର ରହିଛନ୍ତି । ଏହି ଭାଇରସ ଖୁବଦ୍ରୁତ ଗତିରେ ଗୋଟିଏ କୁକୁର ମୁହଁରୁ ଆଉ ଗୋଟିଏ କୁକୁର ପାଖକୁ ବ୍ୟାପିବା ଆରମ୍ଭ କରିଛି । ପଶୁ ଚିକିତ୍ସକଙ୍କ ମତରେ ମହାମାରୀ କରୋନା ଯୋଗୁଁ ବେଙ୍ଗଲରେ ପାରଭୋ ଭାଇରସ ପ୍ରବେଶ କରିଛି । କାରଣ କରୋନା ଯୋଗୁ ଲୋକମାନେ ପାଳିଥିବା ସେମାନଙ୍କ କୁକୁରମାନଙ୍କୁ ଠିକଣା ସମୟରେ ଟିକା ଦେଇନାହାନ୍ତି । ଫଳରେ ଏହି ଭାଇରସ ସେମାନଙ୍କ ଶରୀରରେ ଦେଖାଦେଇଛି । ଡା ସୁଭାଷ ସରକାର କହିଛନ୍ତି, ମହାମାରୀ ଯୋଗୁଁ ଅଧିକାଂଶ କୁକୁର ଟିକା ନେଇନାହାନ୍ତି । ଚଳିତ ବର୍ଷ ଠିକଣା ସମୟରେ ଟିକାକରଣ ନ ସରିଲେ, ସମସ୍ୟା ଆହୁରି ଜଟିଳ ହେବ । ପାରଭୋ ଭାଇରସ ନୂଆ ରୋଗ ନୁହେଁ । ଏହା ଯେତେବେଳେ ବେଙ୍ଗଲରେ ପ୍ରବେଶ କଲା ସେତେବେଳେ ଏହାର ଟିକା ନଥିଲା । କିନ୍ତୁ ଏବେ ଟିକା ବାହାରି ସାରିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବୁଲା କୁକୁରଙ୍କୁ କୌଣସି ପ୍ରକାରର ଟିକା ଦିଆଯାଏ ନାହିଁ । ଫଳରେ ଏହି ଭାଇରସ ଦୀର୍ଘଦିନ ଧରି ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି । ଏହାର ଚିକିତ୍ସା କଥା ବିଚାରକୁ ନେଲେ, ପାରଭୋ ଭାଇରସ ପାଇଁ ଗୋଟିଏ ସେରମ ଅଛି । ହେଲେ ଏହା ବହୁତ ଦାମୀ । ତଥାପି ଭାଇରସ ସଂସ୍ପର୍ଶରେ ଆସିଥିବା କୁକୁରଙ୍କୁ ଏହାଦ୍ୱାରା ଚିକିତ୍ସା କରାଯାଇ ପାରିବ । ଆଉ ଜଣେ ଭେଷଜ ଡାକ୍ତର ଗୌତମ ମୁଖାର୍ଜୀ କହିଛନ୍ତି, ଋତୁ ବଦଳିବା ବେଳେ ସାଧାରଣତଃ କୁକୁରଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଏ । ଯେଉଁ କୁକୁରମାନେ ପାରଭୋ ଟିକା ନେଇଥିବେ ସେମାନେ ଭାଇରସ ସଂସ୍ପର୍ଶରେ ଆସିଲେ ମଧ୍ୟ କମ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଯଦି କୌଣସି କୁକୁର ଖାଦ୍ୟ ନ ଖାଇଲା, ବାନ୍ତି, ଝାଡ଼ା ଭଳି ଲକ୍ଷଣ ଦେଖାଗଲା, ତା’ହେଲେ ତାକୁ ତୁରନ୍ତ ସାଲାଇନ ଦେବାକୁ ହେବ । ବାନ୍ତି ବନ୍ଦ ହେବା ପରେ ପାରଭୋ ନାମକ ଗୋଟିଏ ମେଡିସିନକୁ ଆଣ୍ଟିବାଓଟିକ୍ ମିଶାଇ ଦିଆଯାଇ ପାରିବ । ପାରଭୋ ଭାଇରସରେ ଆକ୍ରାନ୍ତ ହେଲେ ଝାଡ଼ା ହେବ, ରକ୍ତ ଶ୍ରାବ ଓ ଅର୍ଜିନିଆ ଭଳି ଲକ୍ଷଣ ଦେଖାଯିବ । ଅତି ଗୁରୁତର ବେଳେ ହୃଦଘାତର ମଧ୍ୟ ଆଶଙ୍କା ରହିଛି । ଏବେ କୁକୁର ପାଳିଥିବା ଲୋକମାନେ ଟିକାକରଣ ପରେ ବି ସେମାନଙ୍କ କୁକୁରମାନଙ୍କୁ ଘରେ ରଖନ୍ତୁ ବୋଲି ଡାକ୍ତର ଗୌତମ ପରାମର୍ଶ ଦେଇଛନ୍ତି ।