ରାଲିରେ ବୁଲୁଛି ଲାଲକିଲ୍ଲା ହିଂସା ଘଟଣାର ଅଭିଯୁକ୍ତ

0 137

ଚଣ୍ଡିଗଡ଼, ୨୩ ।୨: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ହିଂସା ଘଟଣାର ଅନ୍ୟତମ ଅଭିଯୁକ୍ତ ଲାଖା ସିଧାନାଙ୍କୁ ପୁଲିସ୍ ଖୋଜୁଛି । ଏଯାଏ ତା’ର ପତ୍ତା ମିଳି ନଥିବା ଦିଲ୍ଲୀ ପୁଲିସ୍ କହୁଛି । ହେଲେ ଲାଖା ବେଶ ଆରାମରେ ରାଲି କରି ସର୍ବସମ୍ମୁଖରେ ବେଫିକର ହୋଇ ବୁଲୁଛି । ମଙ୍ଗଳବାର ପଞ୍ଜାବର ମେହରାଜ ଗାଁରେ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଲାଖା ବି ସାମିଲ ହୋଇଥିଲା । ମେହରାଜ ହେଉଛି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ହୋମ ଟାଉନ । ଏଠାରେ ଆୟୋଜିତ ରାଲିର ନେତୃତ୍ୱ ଲାଖା ନେଇଥିଲା । ସେ ରାଲି ବେଳେ ଦିଲ୍ଲୀ ହିଂସା ଘଟଣାରେ ଗିରଫ ଲୋକଙ୍କୁ ଛାଡ଼ିବାକୁ ଦାବି କରିଥିଲା । ଲାଖା କହିଛି, ଯଦି ଦିଲ୍ଲୀ ପୁଲିସ୍ ପଞ୍ଜାବରେ କାହାକୁ ଗିରଫ କରିବାକୁ ଆସିବ, ତା’ହେଲେ ଗାଁ ଲୋକ ସେମାନଙ୍କୁ ଘେରାଉ କରି ଉଚିତ ଜବାବ ଦେବେ । ଅର୍ଥାତ ସେ ଖୋଲାଖୋଲି ଭାବେ ଦିଲ୍ଲୀ ପୁଲିସ୍କୁ ଗରିଫ ପାଇଁ ଚ୍ୟାଲେଞ୍ଜ କରିଛି । ଦିଲ୍ଲୀ ପୁଲିସ୍ କେବେ ହେଲେ ପଞ୍ଜାବରେ ପ୍ରବେଶ କରି ତା’କୁ ଗିରଫ କରିପାରିବ ନାହିଁ ବୋଲି ସେ ପରୋକ୍ଷରେ ଚେତାବନୀ ଦେଇଛି । ଗଣତନ୍ତ୍ର ଦିବସରେ ଚାଷୀମାନେ କରୁଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲେ । ଏହି ହିଂସାକାଣ୍ଡକୁ ଲାଖା ଓରଫ ଲଖବୀର ସିଂହ ଉସୁକାଇଥିବା ଅଭିଯୋଗ ହୋଇଛି । ଟ୍ରାକ୍ଟର ରାଲିରେ ଦିଲ୍ଲୀର ଲାଲକିଲ୍ଲା ସହ ଏକାଧିକ ସ୍ଥାନରେ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟ ସଂଘର୍ଷ ହୋଇଥିଲା । ମେହରାଜ ଗାଁରେ ରାଲି କରିବା ପୂର୍ବରୁ ଲାଖା ଗୋଟିଏ ଭିଡିଓ ପୋଷ୍ଟ କରିଥିଲା । ଏଥିରେ ସେ କହିଥିଲା ଯେ ଆମେ ଦୀର୍ଘ ୭ ମାସ ହେଲା ବିକ୍ଷୋଭ କରୁଛୁ । ବର୍ତ୍ତମାନ ଆନ୍ଦୋଳନ ତା’ର ସର୍ବୋଚ୍ଚ ସ୍ତରରେ ରହିଛି । ଫେବୃଆରୀ ୨୩ରେ ଆମେ ଗୋଟିଏ ବିଶାଳ କାର୍ଯ୍ୟକ୍ରମ ମେହରାଜରେ କରୁଛୁ । ତେଣୁ ଏଥିରେ ବିପୁଳ ସଂଖ୍ୟାରେ ଲୋକଙ୍କୁ ଯୋଗଦେବାକୁ ସେ ଆହ୍ୱାନ ମଧ୍ୟ ଦେଇଥିଲା । ଦିଲ୍ଲୀ ପୁଲିସ୍ର ୱାଣ୍ଟେଡ ଲିଷ୍ଟରେ ଲାଖା ରହିଛି । ତା’ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ୟ ପୁଲିସ୍ କହିଛି । ଲାଖା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଲି କରିଥିଲା । ହେଲେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଗୁଡ଼ିକ ତା’ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ତା’ ସହ ଚାଷୀଙ୍କର କୌଣସି ସମ୍ପର୍କ ନଥିବା ସେମାନେ ପୂର୍ବରୁ କହି ସାରିଛନ୍ତି ।

Leave A Reply

Your email address will not be published.