ଦିଶା ରବିଙ୍କୁ ମିଳିଲା ଜାମିନ

0 151

ନୂଆଦିଲ୍ଲୀ, ୨୩ ।୨: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଅତିରିକ୍ତ ଦୁଇଟି ସିକ୍ୟୁରିଟି ବଦଳରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ତେବେ ବେଲ୍ବଣ୍ଡ ପାଇଁ ଦିଶା ରବିଙ୍କ ପରିବାର ଏକ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ଓ ସେମାନେ ବହୁତ ଗରିବ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । ଆଜି କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ସେ ନିଜ ପରିବାର ଲୋକଙ୍କୁ କୁଣ୍ଢାଇ ଧରି କାନ୍ଦିବା ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି । ଦିଲ୍ଲୀ ପୁଲିସ୍ କୋର୍ଟରେ ଦିଶାଙ୍କ ଜାମିନକୁ ବିରୋଧ କରିଥିଲା । ପୁଲିସ୍ କହିଥିଲା ଯେ ଦିଶା, ନିକିତା ଓ ଶାନ୍ତନୁ ମିଳିତ ଭାବେ ଟୁଲକିଟ୍ ପ୍ରସ୍ତୁତ କରିଥିଲେ । ଏହି ଟୁଲକିଟ୍କୁ ଖଲିସ୍ତାନୀ ସପକ୍ଷବାଦୀଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଥିଲା । ସେହିପରି ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବା ପାଇଁ ଟୁଲକିଟ୍ ଜରିଆରେ ଷଡ଼ଯନ୍ତ୍ର କରାଯାଇଥିଲା । ଏଥିସହ ଏହି ୩ ଜଣ ଭାରତରେ ଖଲିସ୍ତାନୀ ସପକ୍ଷବାଦୀଙ୍କୁ ପୁନଃ ସକ୍ରିୟ କରିବାକୁ ଲକ୍ଷ୍ୟ ରଖିଥିଲେ ବୋଲି ପୁଲିସ୍ କହିଥିଲା । ହେଲେ ଗତ ସପ୍ତାହରେ ହୋଇଥିବା ଶୁଣାଣି ବେଳେ ଆଡିସନାଲ ସେସନ୍ସ କୋର୍ଟ ବିଚାରପତି ଧର୍ମେନ୍ଦ୍ର ରାଣା ପୁଲିସ୍କୁ ପ୍ରମାଣ ମାଗିଥିଲେ । ଜାନୁଆରୀ ୨୬ ହିଂସାକାଣ୍ଡ ସହ ଏମାନଙ୍କର କ’ଣ ସମ୍ପର୍କ ରହିଛି? ଯଦି ହିଂସା ଘଟଣାରେ ଏମାନେ ସାମିଲ ଥିଲେ, ତା’ହେଲେ ଏହାର କିଛି ପ୍ରମାଣ ରହିଛି କି? ଆପଣ ଷଡ଼ଯନ୍ତ୍ର କଥା କହୁଛନ୍ତି । ହେଲେ ଆପଣଙ୍କ ପାଖରେ ଜାନୁଆରୀ ୨୬ ଘଟଣା ସହ ଦିଶାଙ୍କ ଲିଙ୍କ ରହିଛି ବୋଲି କୌଣସି ପ୍ରମାଣ ନାହିଁ । ଆପଣ କେବଳ ସ୍ଥିତିକୁ ଦେଖି ଷଡ଼ଯନ୍ତ୍ର କଥା କହୁଛନ୍ତି ବୋଲି ବିଚାରପତି କହିଥିଲେ । ଏହାପରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ । ହେଲେ ଆଜି କୋର୍ଟ ଦିଶାଙ୍କୁ ଜାମିନ ଦେଇଛନ୍ତି । ଫେବୃଆରୀ ୩ରେ ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥର୍ଣ୍ଣବର୍ଗ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ । ଏଥିସହ ଏହାକୁ କିପରି ସମର୍ଥନ କରାଯିବ, ତା’ର ଗୋଟିଏ ଟୁଲକିଟ୍ ଶେୟାର କରିଥିଲେ । ଏହି ଟୁଲକିଟ୍ ଜରିଆରେ ଭାରତକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ପୁଲିସ୍ କହିଥିଲା । ଏଥିସହ ଏହାକୁ ତିଆରି କରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଶେଷରେ ଗତ ସପ୍ତାହରେ ଦିଲ୍ଲୀ ପୁଲିସ୍ ବେଙ୍ଗାଲୁରୁରୁ ଦିଶାଙ୍କୁ ଗିରଫ କରିଥିଲା । ମଙ୍ଗଲବାର ଦିଶା, ନିକିତା ଓ ଶାନ୍ତନୁଙ୍କୁ ପୁଲିସ ଜେରା ମଧ୍ୟ କରିଥିଲା । ନିକିତା ଓ ଶାନ୍ତନୁ ବମ୍ବେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି ।

Leave A Reply

Your email address will not be published.