ନୂଆଦିଲ୍ଲୀ, ୨୩ ।୨: ପ୍ୟାଙ୍ଗଙ୍ଗରୁ ପଛକୁ ହଟିଲା ଚୀନ କିନ୍ତୁ ରୁତଗରେ ବଢ଼ାଇଲା ଶିବିର । ନିଜର ଶତାଧିକ ସୈନ୍ୟଙ୍କୁ ନେଇ ପ୍ୟାଙ୍ଗଙ୍ଗ ହ୍ରଦର ଠିକ ଉତ୍ତର ଦିଗରେ ଥିବା ରୁତଗ ଅଞ୍ଚଳରେ ନିଜ ଗତିବିଧି ବଢ଼ାଇଛି ଡ୍ରାଗନ । ତାଜା ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ଏହି ଚିତ୍ର ସାମ୍ନାକୁ ଆସିବା ପରେ ଚୀନର ଚାଲାକି ଧରାପଡିଛି । ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି । ଲଦାଖ ସୀମାରେ ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଧୀରେ ଧୀରେ ଶାନ୍ତ ପଡିଛି । ଉଭୟ ଦେଶର ସୈନ ପ୍ୟାଙ୍ଗଙ୍ଗ ହ୍ରଦରୁ ପଛକୁ ହଟିଛନ୍ତି । ତେବେ ପ୍ୟାଙ୍ଗଙ୍ଗରୁ ଚୀନ ନିଜର ଯେଉଁ ସୈନ୍ୟମାନଙ୍କୁ ହଟାଇଛି ସେମାନଙ୍କୁ ରୁତଗରେ ଆଣି ଥଇଥାନ କରାଇଛି । ପ୍ୟାଙ୍ଗଙ୍ଗ ହ୍ରଦଠାରୁ ରୁତଗ ପ୍ରାୟ ୧୦୦ କିଲୋମିଟର ଏବଂ ମାଲଡାରୁ ଏହା ପ୍ରାୟ ୧୧୦ କିଲୋମିଟର ଦୂରରେ ଅବସ୍ଥିତ । ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହେଲା ସେବେଠୁ ଏହି ଅଞ୍ଚଳରେ ବେସ୍ ପାଇଁ କାମ ଚାଲିଥିଲା । ଭବିଷ୍ୟତରେ କେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହେଲେ ଏହି ଅଞ୍ଚଳ ଚୀନ ପାଇଁ ଯୁଦ୍ଧ ବେସ୍ ଭାବେ କାମ କରିବ । ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ସାଟେଲାଇଟ ଫଟୋକୁ ଦେଖିଲେ ପୁରା ଅଞ୍ଚଳର ପ୍ରକୃତ ଚିତ୍ର ସ୍ପଷ୍ଟଭାବେ ବାରି ହୋଇପଡୁଛି । ଫଟୋରେ ଦେଖିବାକୁ ମିଳିଛି ଯେ, ରୁତଗ ଅଞ୍ଚଳରେ ଚୀନ ଅନେକ ପ୍ରସ୍ତୁତି କରିଛି । ସୈନ୍ୟମାନଙ୍କ ପାଇଁ ଷ୍ଟୋରେଜ ଏରିଆ, ଟେଣ୍ଟ, କ୍ୟାବିନ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେନାଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ତିଆରି କରିଛି ଡ୍ରାଗନ । କେବଳ ଏତିକି ନୁହେଁ କିଛି ରାଡାର ଷ୍ଟେସନ ମଧ୍ୟ ରହିଛି । ଯାହା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ୨୦୧୯ରୁ ହିଁ ରୁତଗର ଏହି ଅଞ୍ଚଳରେ ଚୀନ ସେନା ତା’ର ଗତିବିଧି ବଢ଼ାଇଛି । ଉକ୍ତ ଅଞ୍ଚଳରେ ଚୀନ ତା’ର ରାଡାର ସିଷ୍ଟମ, ଭୂପୃଷ୍ଟରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ, ହେଲିପୋର୍ଟ, ଟ୍ୟାଙ୍କ ଏବଂ ଡ୍ରିଲ ଭଳି ଅନେକ କ୍ଷେପଣାସ୍ତ୍ର ରଖିଛି । ଚୀନ ସୈନ୍ୟଙ୍କ ଦ୍ୱାରା ଏହି ଅଞ୍ଚଳରେ ଛୋଟ ଛୋଟ କୁଡିଆ ତିଆରି କରାଯାଇଛି । ଏହି କୁଡିଆ ଘରେ ସୈନିକମାନଙ୍କୁ ଡ୍ରାଗନ ଲୁଚାଇ ରଖିଛି । କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳରୁ ନଗାରୀ ପର୍ଯ୍ୟନ୍ତ ଯିବା ପାଇଁ ବିମାନ ଏବଂ ସଡକ ମାର୍ଗ ମଧ୍ୟ ତିଆରି ହୋଇଛି । ଫଳରେ ଭବିଷ୍ୟତରେ ଏହି ମାର୍ଗ ଦେଇ ଚୀନ ପ୍ୟାଙ୍ଗଙ୍ଗ ଅଞ୍ଚଳରେ ହେଉଥିବା ଗତିବିଧି ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ଚୀନର ଏପରି ପ୍ରସ୍ତୁତିକୁ ଦେଖି ଭାରତୀୟ ସେନାର ମେଜର ଜଲି କହିଛନ୍ତି ଯେ, ଦେଶକୁ ନିଜ ତରଫରୁ ପ୍ରସ୍ତୁତି କରିବାକୁ ହେବ । ଏହାସହ ଇନଫ୍ରାଷ୍ଟ୍ରକଚର୍ ଉପରେ ଜୋର୍ ଦେବାକୁ ହେବ । ଏହାସହ ନୂଆ ଯୋଜନା ପ୍ରସ୍ତୁତି ଉପରେ ର୍ଜୋ ଦେବାକୁ ହେବ ବୋଲି ସେ କହିଛନ୍ତି । ଯଦି ଚୀନ କିଛି ବି ବିବାଦୀୟ ପଦକ୍ଷେପ ନିଏ ତେବେ ଭାରତ ଏହାର ମୁହଁତୋଡ ଜବାବ ଦେବା ବୋଲି ସେ କହିଛନ୍ତି ।