ବେଙ୍ଗାଲୁରୁ, ୨୩ ।୨: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଶ୍ରମିକ ଆଖି ବୁଜିଥିବା ବେଳେ ଆହୁରି ଅନେକ ଗୁରୁତର ହୋଇଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ । ଖାଦାନରେ ପଥର ଫଟାଇବା ପାଇଁ ଥିବା ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ । ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମନ୍ତ୍ରୀ ସୁଧାକର, ଜିଲ୍ଲାପାଳ, ଏସ୍ପି ଓ ରାଜସ୍ୱ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଖଣିରେ ବେଆଇନ ଭାବେ ଜିଲେଟିନ ବ୍ୟବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଜିଲ୍ଲା ଶିବମୋଗାରେ ଏକ ଖଣିରେ ସମାନ ଧରଣର ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।