ଏବେ ସାଇବର ଅପରାଧ ଲୋକଙ୍କ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ପାଲଟିଛି । ନିଜର କଷ୍ଟ ଉପାର୍ଜିତ ଧନକୁ ଏହି ଠକମାନେ କିଛି ସମୟ ମଧ୍ୟରେ ଅନାୟାସରେ ଲୁଟି ନେଉଛନ୍ତି । ସାଇବର ଅପରାଧକୁ ରୋକିବା ପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଗଲେ ମଧ୍ୟ ଏହାର ସେଭଳି ସୁଫଳ ଦେଖିବାକୁ ମିଳୁନାହିଁ । ପ୍ରଲୋଭନରେ ପଡ଼ି ନିଜର ସର୍ବସ୍ୱକୁ ହରାଉଛନ୍ତି କିଛି ଲୋକ । ନେଡିଗୁଡ଼ କହୁଣିକୁ ବୋହିଯିବା ପରେ ସେମାନଙ୍କର ଚେତା ପଶୁଛି ଏବଂ ପୋଲିସର ଶରଣାପନ୍ନ ହେଉଛନ୍ତି । କରୋନା ଲକ୍ଡାଉନ୍ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିସ୍ତୃତ ତଥ୍ୟ ଦେଇଛନ୍ତି । ସେ ଗୃହରେ କହିଛନ୍ତି ଯେ କରୋନା କାଳରେ ରାଜ୍ୟରେ ୧ଲକ୍ଷରୁ ଅଧିକ ଅପରାଧ ପଞ୍ଜିକୃତ ହୋଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ୧ଲକ୍ଷ ୧୩ ହଜାର ୪୧୦ଟି ଅପରାଧ ପଞ୍ଜିକୃତ ହୋଇଥିବାବେଳେ ଏହି ଘଟଣାରେ ୫୧ହଜାର ୬୧୭ଜଣଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ମନ୍ତ୍ରୀ କହିଛନ୍ତି ଯେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୨୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ୨୦୧୮ରେ ୮୭୬, ୨୦୧୯ରେ ୧୪୭୫, ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଛି । ଯାହା ମଧ୍ୟରୁ ୧୩୧୯ଟି ମହିଳାଙ୍କ ସମ୍ମାନହାନି ଭଳି ମାମଲା ଆସିଛି । ଆଉ ଏହି ଘଟଣାରେ ୯୭୪ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ସାଇବର ଅପରାଧ କାହିଁକି ବଢ଼ୁଛି ଏବଂ ଏହାକୁ କିଭଳି ରୋକାଯାଇପାରିବ ସେ ଦିଗରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନେ ସମସ୍ତେ ସଚେତନା ହେବା ଆବଶ୍ୟକ । ନଚେତ୍ ଏହି ଅପରାଧ ଯେ ଦିନକୁ ଦିନ ବଢ଼ିବ ଏଥିରେ ସନ୍ଦେହ ନାହିଁ । କୌଣସି ଅଜଣା ଫୋନ୍ କଲ ଆସିଲେ ନିଜର ଗୋପନ ତଥ୍ୟ ସେମାନଙ୍କୁ ନଜଣାଇବା ନିହାତି ଆବଶ୍ୟକ କିମ୍ବା ପ୍ରଲୋଭନରେ ପଡ଼ି ଅଳ୍ପଦିନରେ ବଡ଼ଲୋକ ହୋଇଯିବାର ଆଶା ହିଁ ସବୁଠାରୁ ବଡ଼ ବୋକାମୀର ପରିଚୟ । ତେଣୁ ବୁଝିବିଚାରି କୌଣସି ବାହାର ଲୋକଙ୍କୁ ନିଜର ଗୁପ୍ତ ତଥ୍ୟ ନଦେବା ଏବଂ ଯଦି କୌଣସି ସନ୍ଦେହ ଆସେ ତେବେ ପୋଲିସକୁ ତୁରନ୍ତ ସୂଚନା ଦେବା ଆବଶ୍ୟକ । ସଚେତନତା ହିଁ ଏହିସବୁ ଅପରାଧକୁ ରୋକିପାରିବ । ଯଦି ଆମେ ସଚେତନ ନହେବା ପ୍ରଲୋଭନରେ ବଶବର୍ତ୍ତୀ ହୋଇ ନିଜର ସମସ୍ତ ତଥ୍ୟ ଅନ୍ୟକୁ ପ୍ରଦାନ କରିଦେବା ତେବେ ଆମେ ହିଁ ଅସୁବିଧାର ସମ୍ମୁଖୀନ ହେବା । ଏସବୁ ପ୍ରତି ଯତ୍ନବାନ ହେଲେ ସାଇବର ଅପରାଧକୁ ରୋକାଯାଇପାରିବ । ଅନ୍ୟଥା ଏହା ଦିନକୁ ଦିନ କାୟା ମେଲାଇ ଚାଲିବ ଏବଂ ସାଧାରଣ ଲୋକ ଏହାର ଶିକାର ହେବେ ।