ପାରଳାଖେମୁଣ୍ଡି,୨୪ା୨ : ପାରଳା ଦୋଳବନ୍ଧ ଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଉଥିବା ମହିଳା କଲେଜ ନିକଟସ୍ଥ ଚାରିଛକ ମୁଖ୍ୟରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଗତ ଏକମାସ ଧରି ରାସ୍ତା ନିର୍ମାଣ ଚାଲୁ ରହିଛି । ପାରଳା ପୁର୍ତ୍ତ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯାଉଛି । ହେଲେ ଏହି ପୋଲର ୪ପାଶ୍ୱର୍ରେ ଠିକାଦାର ଦ୍ୱାରା କୌଣସି ଗାର୍ଡୱାଲ୍ ନିର୍ମାଣ କରାଯାଇ ନଥିବା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଏହି ରାସ୍ତାଟି ସହରର ପ୍ରମୁଖ ମୁଖ୍ୟରାସ୍ତା ହୋଇଥିବା ଯୋଗୁଁ କଲେଜ ଓ ବିଭିନ୍ନ ସ୍କୁଲର ଶହ ଶହ ଛାତ୍ର ଛାତ୍ରୀଙ୍କ ସମେତ ଶହ ଶହ ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରୁଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଜରୁରୀ ସେବା ଓ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ଏହି ମୁଖ୍ୟରାସ୍ତା ବ୍ୟବହୃତ ହେଉଛି । ଏଥି ସହ ୪ଛକ ବିଶିଷ୍ଟ ଏହି ରାସ୍ତା ହୋଇଥିବାରୁ ସଦାସର୍ବଦା ଅତ୍ୟଧିକ ଜନଗହଳି ରହୁଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପାରଳା ପୁର୍ତ୍ତ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ କୌଣସି ଦୃଷ୍ଟି ନଦେବା ପରିତାପର ବିଷୟ । ଏଭଳି ରାସ୍ତାରେ ଚାରିପଟରୁ ଗାର୍ଡୱାଲ୍ କିମ୍ବା ବ୍ୟାରିକେଡ୍ ନିର୍ମାଣ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ଏଠାରେ ନିୟୋଜିତ କରିବା କଥା । ହେଲେ ଏପରି କୌଣସି ବ୍ୟବସ୍ଥା ନକରି ରାସ୍ତା ନିର୍ମାଣ କରିବା ସାଧାରଣଙ୍କ ଧନଜୀବନ ପ୍ରତି ବିପଦର କାରଣ ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏନେଇ ପୁର୍ତ୍ତ ବିଭାଗ ନିର୍ବହୀ ଯନ୍ତ୍ରୀ ଅଶୋକ ଦାସଙ୍କୁ ପଚାରିବାରେ, ସାଧାରଣଙ୍କ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।
ବିପଦ ସଙ୍କୁଳ ଅବସ୍ଥାରେ ପାରଳା ମୁଖ୍ୟରାସ୍ତାରେ ନିର୍ମାଣାଧୀନ ପୋଲ
Prev Post
Next Post