ତେଲ ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେଲ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଉଚ୍ଚା ରହୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପି ସାରିଲାଣି । କାଲିମେଳାରେ ପେଟ୍ରୋଲ ଶତକ ପାର କରିସାରିଛି । ଏଥିନେଇ ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ପରୋକ୍ଷ ଟିକସ କମିଲେ ତେଲଦର କମିବ ବୋଲି ସେ କହିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକମାନେ ତେଲଦର ବୃଦ୍ଧି ନେଇ ହଙ୍ଗାମା କରିଛନ୍ତି । ଏପରିକି ଆଜି ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । କିଛିଦିନ ପୂର୍ବରୁ ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ କହିଥିଲେ ଯେ, ରାବଣର ଲଙ୍କା ଓ ସୀତାଙ୍କ ନେପାଳ ତୁଳନାରେ ରାମଙ୍କ ଭାରତରେ ପେଟ୍ରୋଲ କାହିଁକି ଅଧିକ ଦାମରେ ବିକ୍ରି ହେଉଛି । ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୬୦ ଟଙ୍କରା ୨୯ ପଇସା ଥିବାବେଳେ ନେପାଳରେ ୬୯ଟଙ୍କା ୧ ପଇସା, ପାକିସ୍ତାନରେ ୫୧ଟଙ୍କା ୧୨ ପଇସା, ବାଂଲାଦେଶରେ ୭୬ଟଙ୍କା ୪୩ ପଇସା ହୋଇଥିବା ବେଳେ ଶ୍ରୀଲଙ୍କାରେ ଡିଜେଲ ଲିଟର ପ୍ରତି ୩୮ଟଙ୍କା ୯୧ ପଇସା, ନେପାଳରେ ୫୮ ଟଙ୍କା ୩୨ ପଇସା, ପାକିସ୍ତାନରେ ୫୩ ଟଙ୍କା ୦୨ ପଇସା ଓ ବାଂଲାଦେଶରେ ୫୫ ଟଙ୍କା ୭୮ ପଇସାରେ ବିକ୍ରି ହେଉଛି । ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଓ ରାଜସ୍ତାନରେ ତେଲ ଉପରେ ରାଜ୍ୟ ସରକାର ଭାଟ୍ କମାଇଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଏହା ହୁ ହୁ ହୋଇ ବଢ଼ିଚାଲିଛି । ତେଲ ଦର ବୃଦ୍ଧି ଏବେ ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବିଶେଷକରି ଗରିବ ମଧ୍ୟବିତ୍ତବର୍ଗ ପରିବାର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଭାରତରେ ତେଲଦର ବୃଦ୍ଧିର କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ୍ । କରୋନା ମହାମାରୀ ଯୋଗୁଁ ବିଗିଡ଼ିଥିବା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ଟିକସ୍ କମାଇବାକୁ ଚାହୁଁନାହାଁନ୍ତି । ଏପରିକି ନେପାଳ ସୀମାରେ ଚୋରା ଚାଲାଣ ମଧ୍ୟ ହୋଇଗଲାଣି । ପେଟ୍ରୋଲ ମୂଳଦାମ ଲିଟର ପ୍ରତି ୩୩ ଟଙ୍କା ୬୮ ପଇସା ଥିବାବେଳେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ୧ଟଙ୍କା ୪୦ ପଇସା, ଅତିରିକ୍ତ ଉତ୍ପାଦନ ଶୁଳ୍କ ୧୧ଟଙ୍କା, ଭିତ୍ତିଭୂମି ସେସ୍ ୨ଟଙ୍କା ୫୦ ପଇସା, ରାଜ୍ୟ ଭାଟ ୨୧ ଟଙ୍କା ୪୦ ପଇସା । ଏପରି ସର୍ବୋମୋଟ ୯୧ଟଙ୍କା ୬୬ ପଇସାରେ ଗ୍ରାହକ ପେଟ୍ରୋଲ କିଣୁଛନ୍ତି । ସେହିପରି ଡିଜେଲ ମୂଳ ଦାମ ୩୫ ଟଙ୍କା ୪୩ ପଇସା ହୋଇଥିବା ବେଳେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ୧ଟଙ୍କା ୮୦ ପଇସା, ଅତିରିକ୍ତ ଉତ୍ପାଦନ ଶୁଳ୍କ ୮ ଟଙ୍କା, ଭିତ୍ତିଭୂମି ସେସ୍ ୧୮ ଟଙ୍କା, କୃଷି ଭିତ୍ତିଭୂମି ସେସ୍ ୪ ଟଙ୍କା, ରାଜ୍ୟ ଭାଟ୍ ୧୮ ଟଙ୍କା ୯୦ ପଇସା ଦେବାକୁ ପଡୁଛି । କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ତେଲ ବିକ୍ରିରୁ ମିଳୁଥିବା ରାଜସ୍ୱ ଉପରେ ନିର୍ଭରଶୀଳ ହେଉଛନ୍ତି । ବିଶେଷକରି ସାଉଦିଆରବ ଜାଣିଶୁଣି ଉତ୍ପାଦନ ହ୍ରାସ କରିଛି । ବଜାରରେ କମ୍ ତେଲ ରହିଲେ ତାହା ଚଢ଼ା ଦରରେ ବିକ୍ରି ଭାବନାରେ ଏପରି କରିଛି । ସେ ଯାହାହେଉନା କାହିଁକି କେନ୍ଦ୍ର ଏବଂ ରାଜ୍ୟ ଉଭୟ ଏ ଦିଗରେ ଆଲୋଚନା କରି ତୁରନ୍ତ ତେଲଦରକୁ ହ୍ରାସ କରିବା ଉଚିତ୍ । ନଚେତ୍ କରୋନା ମହାମାରୀରେ ଅଣ୍ଟା ସଳଖୁଥିବା ମଧ୍ୟବିତ୍ତ ଓ ଗରିବମାନେ ପୁଣି ତଳିତଳାନ୍ତ ହେବେ ଏଥିରେ ସନ୍ଦେହ ନାହିଁ ।