ପାରଳାଖେମୁଣ୍ଡି, ୨୫ା୨: ଗଜପତି ଜିଲ୍ଲା ମୋହନା ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମ ଗୃହରୁ ଚୋରୀ ହୋଇଥିବା ୩ଟି ପ୍ୟାକେଟ ବୁଟ ଜବତ ହୋଇଛି । ଏଥିରେ ରହିଥିବା ୧୫୧ କିଲୋ ୧୦୦ ଗ୍ରାମ ବୁଟକୁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜନ ମାଳୀ ଓ ଗ୍ରାମବାସୀ ମିଶିି ଜବତ କରିଛନ୍ତି । ଗତକାଲି ବୁଧବାର ସକାଳ ୧୧ ଘଣ୍ଟା ସମୟରେ ପଞ୍ଚାୟତର ଯୋଗାଣ ସହାୟକ ବଦ୍ରିନାଥ ନାୟକ ଓ ପେନ୍ସନ୍ ଦାୟିତ୍ୱରେ ରହିଥିବା ନଗେନ ପରିଛା ଦୁଇଜଣ ମିଶି ଏକ ପଟ୍ଟା ରିକ୍ସାରେ ହର୍ଷ ଲିମା ୩ଟି ସରକାରୀ ଅଖା ମଧ୍ୟରେ ରହିଥିବା ୧୫୧ କିଲୋ ୧୦୦ ଗ୍ରାମ ବୁଟ ନେଇ ଗ୍ରାମର କିରାନୀ ଦୋକାନୀ ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନିକଟକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେବା ବେଳେ ଦୋକାନ ସାମନାରୁ ପଞ୍ଚାୟତର ନାଏବ ସରପଞ୍ଚଙ୍କ ପ୍ରତିନିଧି ରଂଜନ ମାଳୀ ଓ କିଛି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜବତ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ପରେ ଗଣମାଧ୍ୟମର ପ୍ରତିନିଧି ମାନେ ସେଠାରେ ପହଞ୍ôଚ ଘଟଣାର ଖୋଳତାଡ କରିବା ସହିତ ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ । ଉଭୟେ ପହଞ୍ଚି ବୁଟ ବସ୍ତା ଗୁଡିକୁ ଓଜନ କରିବା ସହିତ ପଞ୍ଚାୟତର ଗୋଦାମ ଗୃହକୁ ଫେରାଇ ନେଇଥିଲେ । ଏହିପରିିଭାବେ ଗତ ୨୧/୦୨ରେ ୬ବସ୍ତା, ୨୩/୦୨ରେ ୫ ବସ୍ତା ଚାଉଳ ଓ ବୁଟ ନେଇ କିରାଣୀ ଦୋକାନରେ ଦେଇଥିବା ରିକ୍ସା ଚାଳକ ହର୍ଷ ଲିମା କହିଛନ୍ତି । ଅଧିକାରୀ ମାନଙ୍କ ଅଜାଣତରେ କିଛି ମାସ ହେଲା ଏପରି ଚାଉଳ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯୋଗାଣ ସହାୟକ ଚୋରାରେ ଦୋକାନୀଙ୍କୁ ବିକ୍ରି କରୁଥିବା ଗ୍ରାମର ସଂଗ୍ରାମ ନାୟକ, କାଳିଆ ନାୟକ, ବିଜୁ ନାୟକ, ବିଶ୍ୱଜିତ ପାଇକ, ଡି. ନାୟକ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାର ଟିକିନିଖି ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ନିରୀକ୍ଷକ ଶଙ୍କର ବେହେରା ପ୍ରକାଶ କରିଛନ୍ତି ।