ଖୁବଶୀଘ୍ର କମିବ ପେଟ୍ରୋଲ-ଡିଜେଲ ଦର!

0 63

ନୂଆଦିଲ୍ଲୀ, ୨ ।୩ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ଏ ନେଇ ବିଚାରବିମର୍ଶ ଚଳାଇଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁଯାୟୀ ଅର୍ଥ ମନ୍ତ୍ରାଳୟର କିଛି ବରିଷ୍ଠ ଅଧିକାରୀ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା କହିଛନ୍ତି । ଦେଶରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ବିରୋଧୀ ଦଳମାନେ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବନ୍ଦପାଳନ ମଧ୍ୟ କରାଯାଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ତୁରନ୍ତ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପାଇଁ ମଧ୍ୟ ଦାବି ହେଉଛି । ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଶୁଳ୍କ କମାଇବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉଭୟ ଦାମରେ ଉତ୍ପାଦନ ଶୁଳ୍କ ଅଧିକ ରହୁଛି ଅର୍ଥାତ ଅଶୌଧିତ ତୈଳରୁ ପେଟ୍ରୋଲ ଏବଂ ଡିଜେଲ ତିଆରି ହେବା ପାଇଁ ଯେତିକି ଅର୍ଥ ଆବଶ୍ୟକ ହୋଇଥାଏ ତାଠାରୁ ଅଧିକ ଉତ୍ପାଦନ ଶୁଳ୍କ ରହୁଛି । ପେଟ୍ରୋଲ ଏବଂ ଡିଜେଲ ଦାମର ପ୍ରାୟ ୬୦ ପ୍ରତିଶତ ଟ୍ୟାକ୍ସ ଆକାରରେ ଯାଇଥାଏ । ପେଟ୍ରୋଲ ଉତ୍ପାଦନ ପାଇଁ ଲିଟର ପିଛା ୩୬ ଟଙ୍କା ଲାଗୁଥିବା ବେଳେ ଦେଶରେ ଦାମ ରହୁଛି ୯୦ ଟଙ୍କା ଉପରେ । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦାମ କମାଇବା ପାଇଁ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସରକାରୀ ସ୍ତରରେ ଅଧିକ ଚାପ ଏବଂ ଉପଭୋକ୍ତା ଉଭୟଙ୍କ ସମସ୍ୟାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କହିଥିଲେ ଯେ, ପେଟ୍ରୋଲ ଏବଂ ଡିଜେଲ ଦାମ କମାଇବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ କିଛି ପଦକ୍ଷେପ ନେବାକୁ ହେବ ।

Leave A Reply

Your email address will not be published.