ବିଜେପିରେ ସାମିଲ ହେଲେ ମିଥୁନ ଚକ୍ରବର୍ତ୍ତୀ

0 53

କୋଲକାତା, ୭ ।୩: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ମଞ୍ଚରେ ଉଦବୋଧନ ଦେବେ ସେଠାରେ ହିଁ ମିଥୁନ ବିଜେପିର ହାତ ଧରିଛନ୍ତି । ଏହାସହ ସେ ଦଳୀୟ ପତାକା ମଧ୍ୟ ଧରିଥିବା ଦେଖିବାକୁ ମିଳିଛି । ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ପଦ୍ମ ଧରିଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ମିଥୁନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଆଗ ବିଜେପିରେ ସାମିଲ ହୁଅନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ସୂଚନା ନାହିଁ । ସେ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ବିଜେପିର ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ମଧ୍ୟ ମିଥୁନ ମୋଦୀଙ୍କୁ ଭେଟିବାକୁ ଚାହୁଁଥିବା ଶନିବାର କହିଥିଲେ । ବିଜେପିରେ ସାମିଲ ହେବାପରେ ମଞ୍ଚ ଉପରେ ଭାଷଣ ଦେବା ସମୟରେ ରଣ ହୁଂକାର ଦେଇଛନ୍ତି ମିଥୁନ । ବିରୋଧୀଙ୍କୁ ଟାର୍ଗେଟ୍ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ” ମେଁ କୋବ୍ରା ହୁଁ, କୋଇ ହକ୍ ଛିନେଗା ତୋ ମେ ଖଡା ହୋ ଜାଉଙ୍ଗା ।’ ମିଥୁନଙ୍କର ଏହା କହିବାର ଅର୍ଥ ହେଉଛି, “ମୁଁ ହେଉଛି ନାଗ ସାପ, କେହି ହକ୍ ଛଡାଇନେବାକୁ ଚେଷ୍ଟା କଲେ ମୁଁ ଫଣା ଟେକି ଛିଡା ହୋଇଯିବି ।’ବିଜେପିରେ ସାମିଲ ହେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ‘୧୮ ବର୍ଷର ହୋଇଥିବା ବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି । ଆଜି ସେହି ସ୍ୱପ୍ନ ପୂରଣ ହେବା ଭଳି ଲାଗୁଛି । ଯଦି କେହି କାହାର ହକ୍ ଛଡାଇବାକୁ ଚେଷ୍ଟା କରନ୍ତି ତେବେ ତ ପରିଣତି ଭୟଙ୍କର ହେବ ।

Leave A Reply

Your email address will not be published.