ବେପରୁଆ ମନୋଭାବ ବିପଦକୁ ଡାକିଆଣିବ

0 96

ପ୍ରାୟ ବର୍ଷେ ହେଲା ସମଗ୍ର ବିଶ୍ୱବାସୀଙ୍କୁ କରୋନା କବ୍ଜା କରି ରଖିଛି । କିଛିମାସ ହେଲା ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲା । କିନ୍ତୁ ଏବେ ପୁଣି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ସବୁଠାରୁ ଉଦ୍ବେଗଜନକ । କରୋନା ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେବା ସହିତ ଅନେକ ଲୋକ ଜୀବିକାକୁ ହରାଇ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ବେଳେ ଲୋକେ ଅଣ୍ଟା ସଳଖିବା ପାଇଁ ଚେଷ୍ଟା କରୁଛନ୍ତି । ଅସଜଡ଼ା ଅର୍ଥନୀତିକୁ ସଜାଡ଼ିବା ପାଇଁ ସରକାର ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ମାତ୍ର ପୁଣି ଏହି କରୋନା ମହାମାରୀ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି । ବ୍ରିଟେନ୍ ଷ୍ଟ୍ରେନ୍ ପରେ ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଆଜି ୨୪ ଘଣ୍ଟାରେ ଦେଶରେ ୨୨ ହଜାରରୁ ଊଦ୍ଧ୍ୱର୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଭାଇରସ୍ ଗୋଟିଏ ଦିନରେ ୧୨୬ଜଣଙ୍କ ମୁଣ୍ଡ ନେଇଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୩ ହଜାର ପାର କରିଥିବାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ବର୍ଦ୍ଧିତ ସଂକ୍ରମଣକୁ ଦେଖି ସରକାର ଓ ସାଧରଣଙ୍କ ଲୋକଙ୍କ ଚିନ୍ତା ବଢ଼ିବା ଆରମ୍ଭ ହୋଇଯାଇଛି । ଆଜି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧,୦୯,୩୮,୧୪୬ଜଣ ସୁସ୍ଥ ହୋଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ପୁଣି କେନ୍ଦ୍ର ସରକାରଙ୍କ ଚିନ୍ତାକୁ ହଜାଇ ଦେଇଛି । କଟକଣା ଟିକେ କୋହଳ ହେବା ମାତ୍ରେ ଆମେମାନେ ଏତେ ବେପରୁଆ ହୋଇଯାଉଛେ ଯେ କୌଣସି ଗାଇଡ୍ଲାଇନ୍କୁ ମାନିବାକୁ ପ୍ରସ୍ତୁତ ହେଉନେ । ଯଦ୍ୱାରା ନିୟନ୍ତ୍ରଣକୁ ଆସୁଥିବା ସ୍ଥିତି ପୁଣି ବିଗିଡ଼ିବା ଆରମ୍ଭ କରିଛି । ସାଧାରଣତଃ ତିନୋଟି କାର୍ଯ୍ୟକୁ ଯଦି ଆମେ ମାନନ୍ତେ ତେବେ ଏଭଳି ଅଘଟଣ ଘଟନ୍ତା ନାହିଁ । ସାମାଜିକ ଦୂରତ୍ୱ, ମାସ୍କ, ନିୟମିତ ହାତ ଧୋଇବା ଆଦି କାର୍ଯ୍ୟକୁ ଯଦି ଆମେ ସଠିକ୍ ଭାବେ ପାଳନ କରିବା ତେବେ ଏଥିରୁ ରକ୍ଷା ପାଇପାରନ୍ତେ । କେତେକ ଅମାନିଆଙ୍କ ଯୋଗୁଁ ସ୍ଥିତି ପୁଣି ବିଗିଡ଼ିବା ଆରମ୍ଭ ହେଲାଣି । ଧିରେ ଧିରେ ସମସ୍ତ କଟକଣା ହଟୁଥିବା ବେଳେ ସ୍ୱାଭାବିକ ଜୀବନଯାତ୍ରା ଫେରିଆସୁଥିବା ସମୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ବାସ୍ତବିକ ଚିନ୍ତାର ବିଷୟ ହୋଇଛି । ଆଗରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁରୋଧ କରିଛନ୍ତି ଯେ ସାମାନ୍ୟ ଢ଼ିଲାପଣ ପୁଣି ବିପଦକୁ ଡାକିଆଣିବ । କରୋନା ହଟିନାହିଁ । ଏହା ଆମ ଚତୁଃପାଶ୍ୱର୍ରେ ଅଛି । ଟିକିଏ ଅସାବଧାନତା ପୁଣି ଆମ ଜୀବନଯାତ୍ରାକୁ ପ୍ରଭାବିତ କରିବ । ତେଣୁ ସମସ୍ତେ କୋଭିଡ୍ ଗାଇଡ୍ଲାଇନ୍କୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଆମେ କରୁଛେ କ’ଣ? ଆମର ଏହି ବେପରୁଆ ମନୋଭାବ ପୁଣି ଏକ ବଡ଼ ବିପଦକୁ ଯେ ନଡାକିଆଣିବ ତାହା କହିହେବ ନାହିଁ ।

Leave A Reply

Your email address will not be published.