-ମୁକ୍ତି ଦାବିରେ ରାଜପଥ ଅବରୋଧ କଲେ ଲୋକେ
-ନିଜ କବ୍ଜାରେ ଥିବା କହିଥିଲା ଲାଲବାହିନୀ
-ଛାଡ଼ିବାକୁ ମଧ୍ୟସ୍ଥ ପାଇଁ ଦେଇଥିଲା ପ୍ରସ୍ତାବ
ଭୁବନେଶ୍ୱର:ଛତିଶଗଡ଼ ବିଜାପୁର ମାଓ ହମ୍ଲାରେ ନିଖୋଜ ଥିବା କୋବ୍ରା କମାଣ୍ଡର ରାକେଶ୍ୱର ମାନହାସଙ୍କର ଫଟୋ ଭାଇରାଲ ହୋଇଛି । ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି । ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି ।
ଅନ୍ୟପକ୍ଷରେ ରାକେଶ୍ୱରଙ୍କୁ ମୁକୁଳାଇବା ଲାଗି ଛତିଶଗଡ଼ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାଓବାଦୀମାନେ ମଧ୍ୟସ୍ଥ ଦାବି କରିବା ପରେ ଗତକାଲି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଥିନେଇ ଆଲୋଚନା ହୋଇଥିଲା । ଜଣେ ସମାଜସେବୀଙ୍କୁ ମଧ୍ୟସ୍ଥ ଭାବେ ପଠାଇବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବା ସୂଚନା ମିଳିଛି ।
ତେବେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କି କି ପଦକ୍ଷେପ ନେଇଛନ୍ତି ସେଥିନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ । ଶନିବାର ଦିନ ମାଓ ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ନିଖୋଜ ଯବାନ ରାକେଶ୍ୱର ମାନହାସ ବୋଲି ପରିବାର ଲୋକେ କହିବା ସହ ତାଙ୍କୁ ମୁକୁଳାଇ ଆଣିବାକୁ ନିବେଦନ କରିଥିଲେ ।
ଅନ୍ୟପକ୍ଷରେ ତାଙ୍କୁ ବନ୍ଧକ ରଖିଛନ୍ତି ବୋଲି ମାଓ ସଂଗଠନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ ମାଓବାଦୀଙ୍କ ଦ୍ୱାରା ବନ୍ଧକ ଥିବା ଯବାନ ରାକେଶ୍ୱରଙ୍କୁ ମୁକ୍ତ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଦାବି କରାଯିବା ସହିତ ଏହି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି । ଦାବି ପୂରଣ ପାଇଁ ରାକେଶ୍ୱରଙ୍କ ପରିବାର ଓ ଗାଁ ଲୋକମାନେ ଜମ୍ମୁରେ ରାସ୍ତା ଅବରୋଧ କରିଛନ୍ତି ।
ପୋଲିସ-ମାଓବାଦୀ ଗୁଳିବିନିମୟ :
କନ୍ଧମାଳ-ଗୋଛାପଡା କଲାମପଡା ଗାଁ ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଛି । ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି । ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି ବୋଲି କନ୍ଧମାଳ ଏସ୍ ପି ସୂଚନା ଦେଇଛନ୍ତି । ଏହି ମାଓବାଦୀମାନେ କେକେଡିଏମ୍ ଡିଭିଜନ୍ ରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇଁ କନ୍ଧମାଳ ପୋଲିସ କମ୍ବିଂ ଅପରେସନ୍କୁ ଆରମ୍ଭ କରିଥିଲା । ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ୧୫ରୁ ୧୬ ମାଓବାଦୀ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ଯବାନଙ୍କ ଗୁଳିରେ କେତେକ ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି । ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ ।
Comments are closed.