ରାସ୍ତା ମଝିରେ ଦିଦିଙ୍କ ଧାରଣା

0 71

କୋଲକାତା: ରାସ୍ତା ମଝିରେ ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ କମିଶନଙ୍କ ବ୍ୟାନ୍କୁ ବିରୋଧ କରି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି । ଏଥିସହ ସେ ମୁହଁରେ କଳା ରଙ୍ଗର ମାସ୍କ ପିନ୍ଧିବା ସହ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି । କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ୱିଲ ଚେୟାରରେ ବସି ଦିଦି ଧାରଣା ଦେଇଛନ୍ତି । କେବଳ ସେତିକି ନୁହେଁ ଦିଦି ଧାରଣାରେ ବସି ପେଣ୍ଟିଂ ମଧ୍ୟ କରିଛନ୍ତି । ସେ ପେଣ୍ଟିଂ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଇଛନ୍ତି । ସୋମବାର ସନ୍ଧ୍ୟା ୮ଟାରୁ ମଙ୍ଗଳବାର ସନ୍ଧ୍ୟା ୮ଟା ଯାଏଁ ମମତାଙ୍କ ନିର୍ବାଚନ ପ୍ରଚାର ବ୍ୟାନ କରାଯାଇଛି । ନିର୍ବାଚନ ଆୟୋଗ ମମତା ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଜେପି ନେତା ମୁଖତାର ଅବ୍ୱାସ ନକଭୀ ମମତାଙ୍କ ବୟାନ ବିରୋଧରେ ନିର୍ବାଚନ ଆୟୋଗରେ ଫେରାଦ ହୋଇଥିଲେ । ସେ କହିଥିଲେ ଯେ ମମତା ସମ୍ପ୍ରଦାୟିକତା ଆଧାରରେ ଭୋଟ ମାଗୁଛନ୍ତି । ଅଭିଯୋଗ ପରେ କମିଶନ ନୋଟିସ ଜାରି କରି ଜବାବ ମାଗିଥିଲେ । ନିର୍ବାଚନ କମିଶନ କହିଥିଲେ ଯେ ନିର୍ବାଚନ କମିଶନ ରାଜ୍ୟରେ ଆଇନ ବ୍ୟବସ୍ଥାର ଗମ୍ଭୀର ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବୟାନକୁ ନିନ୍ଦା କରୁଛି । ସେ ଆଦର୍ଶ ଆଚାର ସଂହିତା ଉଲଙ୍ଘନ ନ କରି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ ଏହିଭଳି ବିବାଦୀୟ ବୟାନ ନ ଦିଅନ୍ତୁ ବୋଲି ସେ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇ ପରାମର୍ଶ ଦେଇଥିଲେ । ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ପରେ ମମତା ଟ୍ୱିଟ କରିଥିଲେ । ସେ କହିଥିଲେ ଯେ ନିର୍ବାଚନ କମିଶନର ଅଲୋକତାନ୍ତ୍ରିକ ଓ ଅସାମ୍ବିଧାନିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ୧୨ଟାରେ ସେ କୋଲକାତା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେବେ । ସେପଟେ ନିର୍ବାଚନ କମିଶନକୁ ଟାର୍ଗେଟ କରି ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯଶବନ୍ତ ସିହ୍ନା କହିଛନ୍ତି ଯେ ଗଣତନ୍ତ୍ରର ସମସ୍ତ ସଂସ୍ଥା ସହ ବୁଝାମଣା କରାଯାଇଛି । ନିର୍ବାଚନ କମିଶନର ନିରପେକ୍ଷତା ଉପରେ ଆଗରୁ ସନ୍ଦେହ ଥିଲା । ଏବେ ସ୍ପଷ୍ଟ ହୋଇଛି ଯେ ନିର୍ବାଚନ କମିଶନ ମୋଦି-ଶାହଙ୍କ ଇସାରାରେ କାର୍ଯ୍ୟ କରୁଛି ।

Leave A Reply

Your email address will not be published.