ଆଜି ହେଉଛି ପ୍ରବାଦପୁରୁଷ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ମହାପ୍ରୟାଣ ଦିବସ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଏହି ଯୋଗଜନ୍ମା ପୁରୁଷ ଆମ୍ଭକୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । ତାଙ୍କ ଆବର୍ତ୍ତମାନର ୨୪ ବର୍ଷ ପରେ ବି ସେ ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ଆଜି ବି ଉଜ୍ଜୀବିତ ହୋଇ ରହିଛନ୍ତି । ସୂର୍ଯ୍ୟ-ଚନ୍ଦ୍ର ଥିବା ଯାଏ ବିଜୁବାବୁଙ୍କୁ କେହି ବି ଭୂଲିପାରିବେ ନାହିଁ । ତାଙ୍କର ମହତ୍ କାର୍ଯ୍ୟ ତାଙ୍କୁ ସବୁଦିନ ଅମର କରି ରଖିବ । ତାଙ୍କର ବାଲ୍ୟକାଳରୁ ଅନ୍ତିମ ଜୀବନ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କଲେ କେବଳ ଦୁଃସାହସ ଓ ନିର୍ଭୀକତା ଦେଖିବାକୁ ମିଳେ । ତେଣୁ ତାଙ୍କୁ ‘ଝଡ଼ର ଇଗଲ୍’ ବୋଲି ଲୋକେ କୁହନ୍ତି ।
ସେ କୌଣସି ବିଷୟକୁ ନେଇ କେବେ ହାର୍ ମାନୁନଥିଲେ । ତାହାକୁ ଖୁବ୍ ଶୀଘ୍ର କାମ ମାଧ୍ୟମରେ କରି ଦେଖାଉଥିଲେ । ଅନେକ ଘାତ ପ୍ରତିଘାତର ଶିକାର ହୋଇଥିଲେ ହେଁ ସେ କେବେ ଭାଙ୍ଗି ପଡ଼ିନଥିଲେ । ସେ ବାସ୍ତବିକ ଥିଲେ ‘ଝଡ଼ର ଇଗଲ୍’ ଓ ତେଜଷ୍କ୍ରିୟ ଦିପ୍ତୀମାନ ଉଜ୍ଜ୍ୱଳ ତାରକା । କେମିତି ଓଡ଼ିଶା ସମଗ୍ର ବିଶ୍ୱରେ ପରିଚିତ ହେବ, ଏହି ଚିନ୍ତା ତାଙ୍କୁ ସବୁବେଳେ ଘାରୁଥିଲା ।
ରାଜନୈତିକ ଯୁଦ୍ଧରେ ସେ ଥିଲେ ସଫଳ ଯୋଦ୍ଧା । ଜୟ-ପରାଜୟ ସବୁଥିଲା ତାଙ୍କ ପାଇଁ ସମାନ । ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ସେ ପାଲଟିଥିଲେ ‘ମହାନ୍ ଜନନାୟକ’। ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ସହ ସର୍ବନିମ୍ନ ମଜୁରି ବୃଦ୍ଧି, ଆଦିବାସୀ ଓ ଦଳିତଙ୍କୁ ବଞ୍ଚିବାର ରାହା ସେ ଦେଖାଇଥିଲେ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉ,ଏଥିପାଇଁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ । ସୁନାବେଡା ମିଗ୍ ବିମାନ କାରଖାନା, ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ କାରଖାନା, ନାଲକୋ, ଚୌଦ୍ୱାର ଲୁଗାକଳ ଭଳି ଅନେକ ଲୋକାଭିମୁଖୀ କାର୍ଯ୍ୟ ତାଙ୍କୁ ସବୁଦିନ ଅମର କରି ରଖିବ । ଶିକ୍ଷା, ସ୍ୱାସ୍ଥ୍ୟସେବା ସହିତ କୃଷିର ଉନ୍ନତି ଓ ମହିଳାଙ୍କ ବିକାଶ ତାଙ୍କର ଥିଲା ସବୁଠାରୁ ବଡ଼ ସ୍ୱପ୍ନ । ଆଜି ଏହି ‘ମହାନ୍ ଜନନାୟକ’ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ସେ ପ୍ରତ୍ୟେକଟି ଓଡ଼ିଆଙ୍କ ହୃଦୟରେ ସବୁଦିନ ପାଇଁ ରହିଥିବେ ।
Comments are closed.