ଆଜିଠୁ ୧୦ ଜିଲ୍ଲାରେ ସଟ୍ଡାଉନ

126

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ଦୈନିକ ସଂକ୍ରମଣ । ଏହାକୁ ଲକ୍ଷ୍ୟ କରି ଆଜିଠୁ ରାଜ୍ୟରେ ସଟ୍ଡାଉନ୍ ଜାରି ହୋଇଛି । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ଦୁଇଦିନ ସଟ୍ଡାଉନ୍ ଜାରି ହେବ । ସେହିଭଳି ରାଜ୍ୟର ଅନ୍ୟ ୨୦ ଜିଲ୍ଲାରେ ଲାଗିବ ନାଇଟ୍ କର୍ଫ୍ୟୁ । ଏସବୁ ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିରୁ ଛତିଶଗଡ଼ ସୀମାନ୍ତ ଜିଲ୍ଲାରୁ କେବଳ ୪୫ ପ୍ରତିଶତ ପଜିଟିଭ୍ ଅଛନ୍ତି । ପଡୋଶୀ ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଓଡ଼ିଶାରେ ଦୈନିକ ସଂକ୍ରମଣ ବଢ଼ୁଛି । ବଢ଼ୁଛି ସଂକ୍ରମଣ, ବଢ଼ିଲା କଟକଣା । କାଲିଠୁ ରାଜ୍ୟକୁ ଫେରିବ ସଟ୍ଡାଉନ୍ । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଲାଗିବ କଡ଼ା କଟକଣା । ପ୍ରତି ଶନିବାର ଓ ରବିବାର ଏହା ବଳବତ୍ତର ରହିବ । ତା’ପୂର୍ବରୁ ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । କାମ ନଥିଲେ ଅଯଥାରେ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ସଟ୍ଡାଉନ୍ ପୂର୍ବରୁ ଆଜି କିଛି ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଦିନକୁ ଦିନ ଲମ୍ବା ଲମ୍ଫ ମାରୁଛି କରୋନା । ଆଜି ରାଜ୍ୟରେ ୨୪ ଘଣ୍ଟାରେ ବାହାରିଛନ୍ତି ୩୧୦୮ ନୂଆ ଆକ୍ରାନ୍ତ । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୪୦୭ ପଜିଟିଭ୍ । ଯାହା ମୋଟ ଆକ୍ରାନ୍ତଙ୍କ ୪୫ ପ୍ରତିଶତ ଅଟେ । ଖାଲି ଏତିକି ନୁହେଁ, ଏହି ୧୦ ଜିଲ୍ଲାରେ ଆକ୍ଟିଭ୍ କେସ୍ ମଧ୍ୟ ସର୍ବାଧିକ ରହିଛି । ରାଜ୍ୟରେ ୧୬ହଜାର ୮୮୯ ସକ୍ରିୟ ମାମଲା ଥିଲାବେଳେ କେବଳ ୧୦ ଜିଲ୍ଲାରେ ଏହି ସଂଖ୍ୟା ୮୫୨୮ ରହିଛି । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହର ଅନ୍ୟ ୫ଦିନ ସନ୍ଧ୍ୟା ୬ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ ।

ଅନ୍ୟପକ୍ଷରେ ଖୋର୍ଦ୍ଧାରେ ହୁ ହୁ ହୋଇ ବଢ଼ୁଛି ପଜିଟିଭ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାଲେଶ୍ୱର ୧୫୧, କେନ୍ଦୁଝର ୧୦୫ ଓ ମୟୂରଭଞ୍ଜରୁ ବାହାରିଛନ୍ତି ୭୧ ନୂଆ ଆକ୍ରାନ୍ତ । ଏସବୁ ଜିଲ୍ଲା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ପଜିଟିଭ୍ କେସ୍ ବଢ଼ିବାରେ ଲାଗିଛି । ରାଜ୍ୟରେ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠାରୁ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିବ । ରାତି ୯ରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କଟକଣା ଜାରି ହୋଇଛି ।

ଶନି-ରବିବାର ଜଗା ଦର୍ଶନ ବନ୍ଦ :

-ବାହାର ଭକ୍ତଙ୍କ ପାଇଁ କୋଭିଡ଼ ରିପୋର୍ଟ ବାଧ୍ୟତାମୂଳକ
-୨୪ ତାରିଖରୁ ଲାଗୁ ହେବ ଏହି ନିୟମ

ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦୁଇଦିନ ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆସନ୍ତା ୨୪ରୁ ଏହି କଟକଣା ଲାଗୁ ହେବ । ରାଜ୍ୟରେ କରୋନା ସଂକ୍ରମଣ ବୁଢ଼ଥିବା ଦେଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । କରୋନା ମହାମାରୀ ପାଇଁ ଆଗରୁ କେବଳ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍ପି କନୱର ବିଶାଲ ସିଂହ, ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ । ଦୁଇ ଦିନ ତଳେ ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଥିଲା । ଏଥିରେ ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କ ସମେତ ଜୋତାଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର
ପ୍ରଶାସନର ୩ କର୍ମ·ରୀ ସାମିଲ ଥିଲେ ।

ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ୍ କର୍ମଚା ରୀ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ,କରୋନା କୋପ ଦେଖି କିଛି ଦିନ ପୂର୍ବରୁ ପୁରୀରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ପୁରୀରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ହୋଟେଲରେ ରହିବା ପୂର୍ବରୁ କୋଭିଡ୍ ନେଗେଟିଭ ରିପୋର୍ଟ ଯାଞ୍ଚ ହେବ । ଯେଉଁମାନେ ୨ଡୋଜ ଟିକା ନେଇଥିବେ ସେମାନଙ୍କୁ ହିଁ ଛଡ଼ାଯିବ । ଏହି ନିୟମରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

Comments are closed.