-ଦିନକୁ ୩୦୦୦ରୁ ଊଦ୍ଧ୍ୱର୍ ଟେଷ୍ଟ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
-କୋଭିଡ୍ ମେଡିସିନ୍ କଳାବଜାରୀ ରୋକିବାକୁ ୩ଜଣିଆ କମିଟି
ଭୁବନେଶ୍ୱର : ରାଜଧାନୀରେ ଗତ କିଛିଦିନ ହେବ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ରାଜଧାନୀକୁ କିଭଳି କରୋନାମୁକ୍ତ କରାଯିବ ଏବଂ ଦ୍ୱିତୀୟ କରୋନା ଲହରକୁ ପ୍ରତିହତ କରାଯିବ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ ଆଜି ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୩୭୯ ଜଣ ଓ ଏପ୍ରିଲ ୧୪ତାରିଖରେ ୩୦୭ ଜଣ ସଂକ୍ରମିତ ହୋଇଥିଲେ ।
ରାଜଧାନୀରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି । ଟ୍ରେସିଂ ଓ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି କୋଭିଡ୍ ମେଡିସିନ୍ କଳାବଜାରୀ ରୋକିବାକୁ ୩ଜଣିଆ କମିଟି ପ୍ରତିଦିନ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୈନିକ ୩୦୦୦ରୁ ଅଧିକ କୋଭିଡ୍ ଟେଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରରେ ହୋମ୍ ଆଇସୋଲେସନ୍ କେସ୍ ପାଇଁ ୩୩ଟି ରାପିଡ୍ ରେସ୍ପେନ୍ସ ଟିମ୍କୁ ନିୟୋଜିତ କରାଯାଇଥିବା ବେଳେ କୋଭିଡ୍ ସଂକ୍ରାନ୍ତ ସୂଚନା ପାଇବା ପାଇଁ ୧୯୨୯ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି ।
ସମସ୍ତ ଆକ୍ରାନ୍ତଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବା ସହିତ ଦିନକୁ ଅତିକମ୍ରେ ଥରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପ·ରି ବୁଝିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭୁବନେଶ୍ୱରରୁ ୩୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ୱରରେ ୧୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରରୁ ୬୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୮୯୦କୁ ବୃଦ୍ଧି ପାଇଛି ।
ଆଜି ପର୍ଯ୍ୟନ୍ତ ୩୨ ହଜାର ୬୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ବିଭିନ୍ନ ହସ୍ପିଟାଲରେ ୧୯୮୧ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଆଚାର୍ଯ୍ୟ ବିହାର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ମଞ୍ଚେଶ୍ୱର, ଜାଗମରା କଳ୍ପନା ଛକ, ପାତ୍ରପଡା, ଖଣ୍ଡଗିରି, ଶୈଳଶ୍ରୀ ବିହାର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ୍ ଔଷଧ ଓ ମେଡିକାଲ ସରଞ୍ଜାମ କଳାବଜାରୀ ରୋକିବା ନିମନ୍ତେ ରାଜ୍ୟ ସରକାର ଏକ ତିନିଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିର ମୁଖ୍ୟ ଭାବେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି କାର୍ଯ୍ୟ କରିବାକୁ ଥିବାବେଳେ ଆବାହକ ଭାବେ ଡ୍ରଗ୍ସ ନିୟନ୍ତ୍ରକ ସଦସ୍ୟ ରହିବେ । ଏଥିସହିତ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପାହ୍ୟାର ଜଣେ ଅଫିସରଙ୍କୁ ଏହି କମିଟିରେ ରଖାଯିବ ।
Comments are closed.