ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଏବେ ସାରାଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଅକସ୍ମାତ୍ ଭାବରେ କରୋନା ବଢ଼ୁଥିବା ବେଳେ ଏହା ଉପରେ ଲଗାମ କଷିବାକୁ ଯାଇ ବିଭିନ୍ନ ରାଜ୍ୟ ନାଇଟ୍ କର୍ଫ୍ୟୁ,ଲକ୍ଡାଉନ୍ ନୀତିକୁ ଆପଣାଇଛନ୍ତି । ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ଦେଶରେ ଛୋଟ ଛୁଆମାନେ ଏହି ମହାମାରୀରେ ସର୍ବାଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗତବର୍ଷ କିନ୍ତୁ ଏହି ମହାମାରୀରେ ଛୋଟଛୁଆ ସେତେଟା ପ୍ରଭାବିତ ହୋଇନଥିଲେ ।
ଏବେ ଦେଶର ୫ଟି ରାଜ୍ୟରେ ୮୦ ହଜାରରୁ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ପାଞ୍ଚଟି ରାଜ୍ୟ ହେଲା ମହାରାଷ୍ଟ୍ର,କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଛତିଶଗଡ । ଏପ୍ରିଲ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ରିପୋର୍ଟ ତିଆରି ହୋଇଛି । ଯେଉଁଥିରେ ମହାରାଷ୍ଟ୍ରର ୬୦,୬୮୪ ଛୋଟପିଲା କରୋନା ପଜିଟିଭ, ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍ ୯,୦୦୦ରୁ ଅଧିକ ପିଲା ରହିଛନ୍ତି । ଉତ୍ତରପ୍ରଦେଶରେ ୩,୦୦୪ ପିଲା କରୋନା ସଂକ୍ରମିତ ହୋଇଛନ୍ତି ଏବଂ ପାଞ୍ଚବର୍ଷରୁ କମ୍ ୪୭୧ ପିଲା ରହିଛନ୍ତି ।
ଦିଲ୍ଲୀର ୨୭୦୦ରୁ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍ ୪୧୧ ପିଲା ରହିଛନ୍ତି । କର୍ଣ୍ଣାଟକରେ ୭,୩୨୭ ଛୋଟ ପିଲା କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପାଞ୍ଚବର୍ଷରୁ କମ୍ ପିଲା ୮୭୧ ଜଣ ରହିଛନ୍ତି । ସେହି ରି ଛତିଶଗଡରେ ୫,୯୫୦ ଶିଶୁ ସଂକ୍ରମିତ ହୋଇଥିବା ବେଳେ ପାଞ୍ଚ ବର୍ଷରୁ କମ୍ ଶିଶୁ ୯୨୨ ଜଣ ରହିଛନ୍ତି । ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ଧୀରେନ ଗୁପ୍ତା କହିଛନ୍ତି, ନବଜାତଙ୍କ ପାଖରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଏବେ ଏହି ମହାମାରୀରେ ଅଧିକାଂଶ ଶିକାର ହେଉଛନ୍ତି ।
ଯାହାକି ଅଧିକ ବି ଜ୍ଜନକ । ଗତବର୍ଷ ତୁଳନାରେ ଚଳିତଥର ୫ ଗୁଣା ଅଧିକ ଟପିଲା କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୬୧ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ତୁଳନାରେ ରବିବାର ପ୍ରାୟ ୧୧.୫ ପ୍ରତିଶତ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
Comments are closed.