ଭୁବନେଶ୍ୱର : ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ ହୋଇଛି । କିଛି ସେବାୟତ କରୋନା ସଂକ୍ରମିତ ହେବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି । କିନ୍ତୁ ପୂର୍ବ ରି ଲିଙ୍ଗରାଜ ମନ୍ଦିରରେ ସେବାୟତମାନଙ୍କ ଦ୍ୱାରା ନୀତିକାନ୍ତି ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୬୦ ଜଣ ସେବାୟତଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୪ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ୧୮୫ ଜଣ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ,ପୂର୍ବରୁ ନିର୍ଦ୍ଧାରିତ ଅଶୋକାଷ୍ଟମୀ ଆୟୋଜନ ହେବ । ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦ୍ୱାରା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପରିଚାଳନା କରାଯିବ । ସୂଚନାଯୋଗ୍ୟ, ରାଜଧାନୀରେ ବିଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଉପରେ ରହୁଛି । ଆଜି ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏଥିସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫ ହଜାର ୬୭୯ରେ ପହଞ୍ଚିଛି । ଆଜି କରୋନାରୁ ୧୨୬ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ସୁସ୍ଥଙ୍କ ସଂଖ୍ୟା ୩୨ ହଜାର ୮୮୧ରେ ପହଞ୍ଚିଛି । ଭୁବନେଶ୍ୱରରେ କରୋନା ଯୋଗୁଁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨ହଜାର ୫୨୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।
Comments are closed.