ମ.ରାମପୁର:୧୯/୪ : ସରକାର ଗ୍ରାମାଞ୍ଚଳରେ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଓଭରହେଡ ପାଣି ଟାଙ୍କି ନିର୍ମାଣ କରିଛନ୍ତି । ପାଇପ ବିଛା କାମ ସରିଛି ।ଷ୍ଟାଣ୍ଡପୋଷ୍ଟ ନିର୍ମାଣ କାମ ମଧ୍ୟ ସରିଛି ।ହେଲେ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସାଇଦଳଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଇଁଲାପାଳି ଗ୍ରାମରେ ।ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଆଇଁଲାପାଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପଦୀର୍ଘ ଏକ ବର୍ଷ ହେବ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହାର ସୁଫଳ ଗ୍ରାମବାସୀ ପାଇପାରୁ ନାହାଁନ୍ତି । ଏବେ କିଛି ନଳକୂପ ଓ କେନାଲ ପାଣି ହିଁ ଗ୍ରାମବାସୀଙ୍କ ପାଇଁ ସାହା ଭରସା । ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।ପ୍ରକାଶ ଥାଉକି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ପ୍ରକଳ୍ପ ର ନା ଅଛି ସୂଚନାଫଳକ ନା ଅଛି ଲୋଗୋ । ଏପଟେ କେନାଲ ପାଣି ବନ୍ଦ ହେବାକୁ ଥିବା ବେଳେ ଜଳ ସଙ୍କଟ ର ଚିନ୍ତା ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସ୍ଥାୟୀ ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।