ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର : ଡବଲ ମାସ୍କ ପିନ୍ଧିବାକୁ ବିଶେଷଜ୍ଞଙ୍କ ପରାମର୍ଶ

0 64

ନୂଆଦିଲ୍ଲୀ, ୧୯ ।୪: ବର୍ତ୍ତମାନ ସାରା ଦେଶରେ ଦ୍ରୁତ ବେଗରେ ମାଡ଼ିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ସବୁଠି ଆଣିଛି ସଙ୍କଟଜନକ ସ୍ଥିତି । ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ତରଙ୍ଗ । ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହର ବହୁ ଅଧିକ ସଂକ୍ରମଣଶୀଳ । ସ୍ଥିତି ଏମିତି ହୋଇଛି ଯେ ଦେଶରେ ଦିନକୁ ୨ଲକ୍ଷ ୭୦ ହଜାରରୁ ଅଧିକ ସଂକ୍ରମଣ ଦେଖାଦେଇଛି । ଆକ୍ରାନ୍ତ ବଢୁଛନ୍ତି, ମୃତକ ବି ବଢୁଛନ୍ତି । ସବୁଦିନ ଶହ ଶହ ଶବ ମଣାଣିରେ ପୋଡାହେଉଛି । ଜଣାପଡୁ ନ ଥିଲେ ବି ଭିତରେ ଭିତରେ ମୃତ୍ୟୁର ତାଣ୍ଡବ ଖେଳାଉଛି କରୋନାର ଦ୍ୱିତୀୟ ତରଙ୍ଗ । ଆଉ ଏତିକି ବେଳେ କରୋନାର ୨ୟ ଲହରକୁ ରୋକିବାରେ ସହାୟକ ହେବ ଡବଲ ମାସ୍କ । ଦୁଇଟି ମାସ୍କ ହିଁ କରୋନା ରୋକିବାରେ ବ୍ରହ୍ମାସ୍ତ୍ର ସାଜିବ ବୋଲି କହିଛନ୍ତି ବିଶେଷଜ୍ଞ । ଭୂତାଣୁର ଭୟଙ୍କର ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୁଇ ଦୁଇଟା ମାସ୍କ ପିନ୍ଧିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ତେବେ ଡାକ୍ତରଙ୍କ କହିବା ଅନୁସାରେ କରୋନାର ଏହି ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ଦୁଇଟି ମାସ୍କ । ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ, ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ମେଡିକାଲ ଜର୍ଣ୍ଣାଲ ଲାନସେଟ କହୁଛି । ତେଣୁ ଏହି ଭୟଙ୍କର ବିପଦରୁ ବର୍ତ୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତ୍ତିବାକୁ ହେଲେ ଆମକୁ ଏନ୍-୯୫ କିମ୍ୱା କେଏନ-୯୫ ମାସ୍କ ପିନ୍ଧିବାକୁ ପଡିବ । ନଚେତ ତିନୋଟି ସ୍ତର ଥିବା ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ । ସେଥିପାଇଁ ଲୋକମାନେ କପଡା ମାସ୍କ ବଦଳରେ ତିନିଲେୟାର ସର୍ଜିକାଲ ମାସ୍କରୁ ଦୁଇଟି ବ୍ୟବହାର କରି ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର । ଦ୍ୱିତୀୟ ଦଫାରେ ବୃଦ୍ଧବୃଦ୍ଧାଙ୍କ ସହ କୁନି କୁନି ପିଲା ଅଧିକ ଆକ୍ରାନ୍ତ ହେଉଥିବା ବେଳେ ୩୦ ବର୍ଷରୁ କମ ଯୁବକଯୁବତୀ ମଧ୍ୟ ୨ୟ ଲେଉଟାଣିରେ ଅଧିକ ପ୍ରଭାବିତ ହେଉଥିବା ରିପୋର୍ଟ ଆସୁଛି । ତେବେ ମହାମାରୀ ମୁକାବିଲା ପାଇଁ ଦୁଇଟି ମାସ୍କ ଜରୁରୀ ବୋଲି ସମାନ କଥାକୁ ଦୋହରାଇଛନ୍ତି ଡାକ୍ତର ସତୀଶ ପ୍ରସାଦ ରଥ । ତେବେ ଏପ୍ରିଲ ମାସରେ କରୋନା ସ୍ଥିତି ଭୟଙ୍କର ହେଲାଣି ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ଆଉ ଏହାରି ଭିତରେ ମାସ୍କ ବ୍ୟବହାର ଉପରେ ରାଜ୍ୟ ସରକାର କଡା କଟକଣା ଲଗାଇଛନ୍ତି । ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଫାଇନ୍ କରିଥିବା ବେଳେ ମାସ୍କ ହିଁ ମହାମାରୀ ମୁକାବିଲାର ମହାସ୍ତ୍ର ବୋଲି ସରକାର ସଚେତନ କରୁଛନ୍ତି । ହେଲେ ଅନେକ ଅମାନିଆ ଏବେ ବି ମାସ୍କ ନ ପିନ୍ଧି ଏଣେତେଣେ ବୁଲୁଛନ୍ତି । ବିନା ମାସ୍କରେ ବଜାର ଆସୁଛନ୍ତି । ମାସ୍କକୁ ମୁହଁରେ ନ ପିନ୍ଧି ବେକରେ ପିନ୍ଧୁଛନ୍ତି । କଥା କହିବା ବେଳେ ମାସ୍କ ଖୋଲିଦେଇ କଥା ହେଉଛନ୍ତି । ଯେଉଁଠି କରୋନା ରୋକିବାକୁ ଦୁଇ ଦୁଇଟି ମାସ୍କ କଥା କୁହାଯାଉଛି ସେଠି ଲୋକେ ତ ଗୋଟିଏ ମାସ୍କ ବି ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ସ୍ଥିତି ବିଗୁଡୁଛି । ଆସନ୍ତୁ ମାସ୍କ ପିନ୍ଧିବା, ନିଜ ପାଇଁ, ଅନ୍ୟ ମାନଙ୍କ ଜୀବନ ପାଇଁ ।

Leave A Reply

Your email address will not be published.