କାନ୍ଦୁଛି ମଶାଣୀ : ଲିଭୁନି ଯୁଇ

53

ଭୁବନେଶ୍ୱର : ମଶାଣୀ ବି କାନ୍ଦୁଛି । ଏତେ ମଲା ମଣିଷକୁ ଆଗରୁ କେବେ ଦେଖିନଥିଲା ଶ୍ମଶାନ । କରୋନା କୁଢ଼ କୁଢ଼ ମଣିଷ ମାରୁଛି ତ ଶ୍ମଶାନରେ ଲାଗୁଛି ମୃତଦେହର ଲମ୍ବାଧାଡି । ଲିଭୁନି ଯୁଇ । କୋଭିଡ୍ ମୃତକଙ୍କ ସଂସ୍କାର ପାଇଁ ପ୍ୟାକେଜ୍ ଦେଉଛନ୍ତି ଶ୍ମଶାନ କର୍ତ୍ତୃପକ୍ଷ । ଶ୍ମଶାନରୁ ଲିଭୁନି ଯୁଇ । ଶବମାନଙ୍କ ଭିଡରେ ସତେ ଯେପରି ଶ୍ମଶାନ ଅଣନିଃଶ୍ୱାସୀ ହୋଇପଡ଼ୁଛି । ପୁଳା ପୁଳା ଜୀବନ ନେଉଛି ଏହି ଘାତକ ମହାମାରୀ । ମଶାଣୀ ଘାଟକୁ ଲମ୍ବିଛି ମୃତଦେହର ଧାଡି । ଏକାବେଳେ ଜଳୁଛି ଅନେକ ଚିତା । ବାରଣାସୀ, ଦିଲ୍ଲୀ,ଭୋପାଳ ଏପରି ଅନେକ ବଡ ବଡ ସହରର ମଶାଣୀ ଘାଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶବଦାହ ପାଇଁ ମଶାଣୀରେ ଜାଗା ମିଳୁନି । ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ଏମିତିକି ପାଳି ପଡ଼ିବା ପାଇଁ ୨୪ ଘଣ୍ଟା ବିତିଯାଉଛି । ଶବଦାହ କାଠ ମଧ୍ୟ ଅଭାବ ପଡ଼ିଲାଣି । ମହାମାରୀ ଏତେ ଲୋକଙ୍କୁ ମାରୁଛି ଯେ, ମଶାଣୀ ଆଖିରୁ ବି ଲୁହ ଝରୁଛି । ଦେଶରେ ତାଣ୍ଡବ ରଚୁଛି କରୋନା । ଆଜି ସାରାଦେଶରୁ ନେଇଛି ୧୭୬୧ ଜୀବନ । ମହାରାଷ୍ଟ୍ରରେ ସର୍ବାଧିକ ୩୫୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨୪୦ଜଣଙ୍କ ଜୀବନ ଯାଇଛି ।

ବିପଦ ଘନେଇଲା: ଆଉ ନିସ୍ତାର…

-ଦିନକରେ ଗଡ଼ିଲା ୧୭୬୧ ମୁଣ୍ଡ

ଦେଶରେ କରୋନା ମହାମାରୀ ଦିନକୁ ଦିନ ତା’ର କାୟା ବିସ୍ତାର କରି କରି ଚାଲିଛି । ଆଜି ଦୈନିକ ସଂକ୍ରମଣ ୨,୫୯,୧୭୦ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ନୂତନ ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି ୧ ଲକ୍ଷ ୫୪ ହଜାର ୭୬୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୦ ଲକ୍ଷ ୩୧ ହଜାର ୯୭୭ ଜଣ । ଏବେ ସୁଦ୍ଧା ସମଗ୍ର ଦେଶରେ ଟିକା ନେଇ ସାରିଲେଣି ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣ ।

Comments are closed.