ଅକ୍ସିଜେନ୍ ପାଇଁ ହାହାକାର… : ମୋଦୀଙ୍କୁ ନବୀନଙ୍କ ପ୍ରତିଶ୍ରୁତି, କୋଭିଡ୍ ଯୁଦ୍ଧରେ ସହଯୋଗ କରିବ ଓଡ଼ିଶା

155

-ଦେଶର ଅକ୍ସିଜେନ୍ ପାଲଟିଛି ଓଡ଼ିଶା

ଭୟଙ୍କର କୋଭିଡ୍ ମହାମାରୀରେ ଦେଶ ଜୁଝୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରି ସହଯୋଗର ହାତ ବଢ଼ାଇଛନ୍ତି । କୋଭିଡ୍ ଯୁଦ୍ଧରେ ଓଡ଼ିଶା ସବୁ ପ୍ରକାର ସହଯୋଗ କରିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

ଭୁବନେଶ୍ୱର : ବନ୍ୟା, ବାତ୍ୟା ହେଉ କି ମହାମାରୀ ଦେଶରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏବେ କୋଭିଡ୍ ବିପର୍ଯ୍ୟୟ ସମୟରେ ଓଡ଼ିଶା ଏକପ୍ରକାର ଦେଶର ଅକ୍ସିଜେନ୍ ପାଲଟିଛି । ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଣରେ ଓଡ଼ିଶା ସହାୟତା କରିଛି । ଅନ୍ୟପକ୍ଷରେ ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଯେଉଁଭଳି ଭାବରେ ଅନେକରାଜ୍ୟରେ କୋଭିଡ୍ର ଭୟାବହ ସ୍ଥିତି ସୃଷ୍ଟି ହୋଇଛି, ଅକ୍ସିଜେନର ଅଭାବ ପରିଲିଖିତ ହେଉଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନେକ ରାଜ୍ୟରେ ଯେଉଁଭଳି ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି ତାହାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

କୋଭିଡ ମହାମାରୀରେ ଓଡିଶା ସମଗ୍ର ଦେଶକୁ ସାହାଯ୍ୟ କରିବ । ଅକ୍ସିଜେନ ଉତ୍ପାଦନ ବୃଦ୍ଧି ନେଇ ମଧ୍ୟ ସମସ୍ତ ରାଜ୍ୟକୁ ଓଡିଶା ସହଯୋଗ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଅମ୍ଳଜାନ ଯୋଗାଣରେ ଦିଲ୍ଲୀକୁ ସହଯୋଗ କରିବ । କୋଭିଡ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସହାୟତା ମଧ୍ୟ ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହାୟତା ଏବଂ ସହଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅକ୍ସିଜେନ୍ ଗାଡିକୁ ରୋକନ୍ତୁ ନାହିଁ : ମୋଦୀ

ଦେଶରେ ଅକ୍ସିଜେନ୍ ସଙ୍କଟ ଏବେ ଉକ୍ରଟ ରୂପ ଧାରଣ କରିଛି । ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତମାନେ ମୃତ୍ୟୁବରଣ କରିସାରିଲେଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

ଦେଶରେ ଅକ୍ସିଜେନ ଯୋଗାଣ ଆହୁରି ତୀବ୍ର କରିବାକୁ କହିଛନ୍ତି ମୋଦୀ । ଏହା ସହିତ ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରିବା ତଥା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟମାନଙ୍କରେ ତୁରନ୍ତ ଅକ୍ସିଜେନ ପହଞ୍ଚାଇବା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅକ୍ସିଜେନ ଟ୍ୟାଙ୍କରଗୁଡିକ ହସ୍ପିଟାଲରେ ଜଲ୍ଦି ପହଞ୍ଚାଇବା ପାଇଁ ଟ୍ରେନ୍ଗୁଡିକୁ ବ୍ୟବହାର କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇର ବିଭିନ୍ନ ହସ୍ପିଟାଲକୁ ୧୦୫ ମେଟ୍ରିକ୍ ଟନ୍ ଲିକ୍ୱିଡ୍ ମେଡିକାଲ ଅକ୍ସିଜେନ୍ ପହଞ୍ଚାଯାଇଛି । ଏହାଛଡା ସମୟସାପେକ୍ଷ ଦୃଷ୍ଟିରୁ ଖାଲି ଟ୍ୟାଙ୍କରଗୁଡିକୁ ଆକାଶ ମାର୍ଗରେ ପଠାଯାଉଛି । ଯାହାଫଳରେ କି ଟ୍ୟାଙ୍କରଗୁଡିକ ଯଥାଶୀଘ୍ର ପହଞ୍ଚି ପୁଣି ଅକ୍ସିଜେନ ପ୍ଲାଣ୍ଟରୁ ଭର୍ତ୍ତି କରିଆଣିପାରିବେ । ସଙ୍କଟ ପରିସ୍ଥିତିରେ ରାଜ୍ୟମାନଙ୍କ ମଧ୍ୟରେ କିଭଳି ଭାବେ ସମନ୍ୱୟ ରଖାଯାଇପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ବିଭିନ୍ନ ରାଜ୍ୟ ଦେଇ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର, ଟ୍ରେନ୍ଗୁଡିକୁ ଯେପରି କେହି ନ ରୋକିବେ ସେ ଦିଗରେ ମଧ୍ୟ ରାଜ୍ୟ ସରକାରମାନେ ଦୃଷ୍ଟି ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍ଲାଇନରେ କୁହାଯାଇଛି ଯେ, ଯେଉଁ ରାଜ୍ୟମାନଙ୍କରେ ଅକ୍ସିଜେନ ଉତ୍ପାଦନ ହେଉଛି ସେମାନେ ଅନ୍ୟ ରାଜ୍ୟମାନଙ୍କୁ ପଠାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କୌଣସି ରାଜ୍ୟମାନଙ୍କରେ ଅକ୍ସିଜେନ ଗାଡିକୁ ରୋକାଯିବ ନାହିଁ । ବିନା ଦ୍ୱିଧାରେ ସେମାନେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜାରି ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ସଡକ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.