ସବୁଠି ହାହାକାର

0 67

କରୋନାର ଦୋହରା ମାଡ଼ରେ ସମଗ୍ର ବିଶ୍ୱବାସୀ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରଥମ ଲହର କରୋନା ସଂକ୍ରମଣ ଅନେକ ଭାରତୀୟଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଇଥିଲା । ଲକ୍ଡାଉନ୍ ପାଇଁ ଅନେକଙ୍କ ଚାକିରି ଏବଂ ଜୀବିକା ଚାଲିଯାଇଛି । ପ୍ରଥମ ଲହର କରୋନା ସଂକ୍ରମଣ ପାଇଁ ଦେଶରେ ଦାରିଦ୍ର୍ୟ ଦୁଇଗୁଣା ହୋଇଥିବା ବିଶ୍ୱବ୍ୟାଙ୍କ ଆକଳନରୁ ଜଣାଯାଇଛି । ମହାମାରୀ ପାଇଁ ଗତବର୍ଷ ସବୁ ଶିଳ୍ପସଂସ୍ଥା ବନ୍ଦ ହୋଇଥିଲା । ଏଥିଯୋଗୁଁ ଅନେକ ଲୋକ ଚାକିରି ହରାଇଥିଲେ । ଭାରତରେ ଏହି ମହାମାରୀ ସମୟରେ ଜିଡିପି ଅଭିବୃଦ୍ଧି ହାର କମିବା ସହିତ ଗରିବମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି । କୋଟି କୋଟି ମଧ୍ୟବିତ୍ତ ଅଚାନକ ଗରିବ ଶ୍ରେଣୀକୁ ଚାଲିଆସିଛନ୍ତି । ଦେଶରେ ଦୈନିକ ୧୫୦ ଟଙ୍କାରୁ କମ୍ ରୋଜଗାର ଥିବା ଲୋକଙ୍କ ସଂଖ୍ୟା ୬ କୋଟିରୁ ସାଢ଼େ ୧୩ କୋଟିକୁ ବୃଦ୍ଧି ପାଇଛି । ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୭.୫ କୋଟି ବୃଦ୍ଧି ପାଇଛି । ସେହିପରି ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ମହାମାରୀ ପୂର୍ବରୁ ୯.୯ କୋଟି ଥିବାବେଳେ ଏବେ ଏହା ୬.୬ କୋଟିକୁ କମିଯାଇଛି । ପିୟୁ ଗବେଷଣା କେନ୍ଦ୍ର ଦ୍ୱାରା କରାଯାଇଥିବା ସର୍ଭେରୁ ଏହି ରିପୋର୍ଟ ଜଣାଯାଇଛି । ପିୟୁ ଆହୁରି ମଧ୍ୟ କହିଛି ଯେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ । ଗରିବଙ୍କ ସଂଖ୍ୟା ଆହୁରି ବଢ଼ିଯିବା ସହିତ ମଧ୍ୟବିତ୍ତଙ୍କ ସଂଖ୍ୟା ଆହୁରି କମିଯିବ । ୨୦୧୧ରୁ ୨୦୧୯ ମଧ୍ୟରେ ଦେଶ ଦାରିଦ୍ର୍ୟକୁ ବେଶ୍ ଭଲଭାବେ ମୁକାବିଲା କରିପାରିଥିଲା । କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇଦେଲା । ରୋଜଗାର ଏବଂ ଆର୍ଥିକ ସ୍ଥିତି ଲୋକଙ୍କ ଦୁର୍ବଳ ହୋଇପଡ଼ିଲା । ତେବେ ଏବେ ଦ୍ୱିତୀୟ ଲହରର ସଂକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରିଦେବ ବୋଲି ବୁଦ୍ଧିଜୀବୀ ଏବଂ ବିଶେଷଜ୍ଞମାନେ କହିସାରିଲେଣି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଯଦି ଟିକାକରଣ ତ୍ୱରାନ୍ୱିତ ନହୁଏ ଏବଂ ମେ’ ଶେଷ ସୁଦ୍ଧା ଭାଇରସ୍ ନିୟନ୍ତ୍ରଣ କରାନଯାଏ ତେବେ ଏହା ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ବହୁତ ଖରାପ ପ୍ରଭାବ ପକାଇବ । ଅନେକ ଲୋକ ଚାକିରି ହରାଇବା ସହିତ ଦେଶ ଦାରିଦ୍ର୍ୟ ମଧ୍ୟକୁ ଠେଲିହୋଇଯିବ । ଖାଲି ଏତିକି କରିନାହିଁ ଏହି ମହାମାରୀ, ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ନେଇସାରିଲା ପରେ ସେହି ପରିବାରଟିର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଦୋହଲିଯାଇଛି । ଅନେକ ମଧ୍ୟବିତ୍ତ ଆସ୍ତେ ଆସ୍ତେ ଗରିବ ସୀମାରେଖା ମଧ୍ୟକୁ ଟାଣି ହୋଇ ଯାଉଛନ୍ତି । ଏହି ଅବସ୍ଥା କେବଳ ଆମ ଦେଶର ନୁହେଁ, ସମଗ୍ର ବିଶ୍ୱର ଏବେ ହା ହା କାର ପରିସ୍ଥିତି ଦେଖାଦେଇଛି । ତେବେ ଏଭଳି ସ୍ଥିତିରେ ଆମେ ସମସ୍ତେ ଏକତ୍ର ହୋଇ ପ୍ରଥମେ ଜୀବନ ଓ ପରେ ଜୀବିକାକୁ ପ୍ରାଧାନ୍ୟ ଦେବା ଉଚିତ୍ । ଯଦିଓ ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ଅବସ୍ଥାରେ ରହିଛି ତଥାପି ଜୀବନ ଆମ ସମସ୍ତଙ୍କ ପାଇଁ ମୂଲ୍ୟବାନ ।

Leave A Reply

Your email address will not be published.