ଭାରତକୁ ସବୁଠୁ ଅଧିକ ସାହାଯ୍ୟ କରିବୁ : ବାଇଡେନ୍

0 144

ୱାଶିଂଟନ: କୋଭିଡ୍ ବେଳେ ଭାରତକୁ ସହଯୋଗ କରିପାରିବ ନାହିଁ କହିଥିବା ଆମେରିକା ଏବେ ନିଜ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛି । ଶାସକ ଦଳ ଡେମୋକ୍ରାଟିକ ପାର୍ଟିର ସାଂସଦ ରାଷ୍ଟ୍ରପତି ବାଇଡେନଙ୍କ ଅଫିସର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିବା ପରେ ଭାରତକୁ ସହଯୋଗ କରିବ ବୋଲି ଆମେରିକା ଏକ ପ୍ରେସ ବିବୃତ୍ତି ଜାରି କରି କହିଛି । କୋଭିଡ୍ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକା ପାଖରେ ରହିଛି । ହେଲେ ଆମେରିକା ଏହା ଉପରେ ପ୍ରତବନ୍ଧକ ଲଗାଇଛି । ତେଣୁ ଟିକା ପ୍ରସ୍ତୁତ ନେଇ ଭାରତ ଏବେ ସମସ୍ୟାରେ ପଡ଼ିଛି । ଆଉ କଞ୍ଚାମାଲ ଉପରୁ ପ୍ରତିବନ୍ଧକ ହଟାଯାଇପାରିବ ନାହିଁ ବୋଲି ସୋମବାର ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଥିଲା । ଏହାପରେ ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ପ୍ରଶାସନ ଉପରେ ଚାପ ପକାଇଥିଲେ । ଏହାପରେ ଭାରତକୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ବୈଦେଶିକ ବିଭାଗ ଏକ ପ୍ରେସ ରିଲିଜ ଜାରି କରି କହିଛି, ଭାରତରେ କୋଭିଡ୍ର ଭୟାବହ ଦେଖାଇଛି । ଏହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ । ଏହି ମହାମାରୀ ବେଳେ ଆମେରିକା ପ୍ରତ୍ୟେକ ଭାରତୀୟଙ୍କୁ ସହଯୋଗ କରିବ । ଏହାବାଦ୍ ସମଗ୍ର ଦକ୍ଷିଣ ଏସିଆ ଏବଂ ବିଶ୍ୱକୁ ସହଯୋଗ କରିବ । ଅତ୍ୟାବଶ୍ୟକ ସାମଗ୍ରୀର ନେବା ଆଣିବା ବ୍ୟବସ୍ଥାକୁ ସୁଗମ କରିବା ସହ ସମସ୍ତ ଅସୁବିଧାକୁ ଦୂର କରାଯିବ ବୋଲି ଆମେରିକା କହିଛି । ଭାରତୀୟଙ୍କ ସହ ଘନିଷ୍ଠତା ରହିଛି ଆଗକୁ ଜାରି ରହିବ । ସର୍ବୋଚ୍ଚ ସ୍ତରରେ ଭାରତକୁ ସହଯୋଗ କରିବା ପାଇଁ ଆମେରିକା ପ୍ରସ୍ତୁତ ବୋଲି କହିଛି । ଭାରତରେ କୋଭିଡ ପରିସ୍ଥିତିକୁ ଦେଖି ଆମେରିକାର ଚାମ୍ବର ଅଫ୍ କମର୍ସ ବାଇଡେନ ସରକାରଙ୍କୁ ହସ୍ତକ୍ଷେପକୁ କରିବାକୁ ଚାପ ପକାଇଥିଲା । ତୁରନ୍ତ ଟିକା ପାଇଁ ବ୍ୟବହୃତ କଞ୍ଚାମାଲ ଏବଂ ଅନ୍ୟ ଜୀବନ ରକ୍ଷାକାରୀ ଔଷଧ, ଉପକରଣ ଆଦି ଭାରତକୁ ପଠାଇବା ପାଇଁ ଚାପ ପକାଇଥିଲା । ଆଉ ହ୍ୱାଇଟ୍ ହାଉସରେ ଏ ପ୍ରସଙ୍ଗରେ କିଛି ଘଣ୍ଟା ଆଲୋଚନା ହେବାପରେ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛି । ଭାରତ ବ୍ୟତୀତ ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଆମେରିକା ସମସ୍ତ ସହଯୋଗ କରିବ ବୋଲି କହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଟିକାକରଣ କରାଯାଉ ନାହିଁ କି ପରୀକ୍ଷା କରାଯାଉ ନାହିଁ ତେଣୁ ମୃତ୍ୟୁସଂଖ୍ୟା ବଢ଼ୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଶୁକ୍ରବାର ଏହା କହିଛନ୍ତି । ଭାରତରେ ବଢ଼ୁଥିବା ଆକ୍ରାନ୍ତ ଦେଖି ସେ ଚିନ୍ତିତ ବୋଲି କହିଛନ୍ତି । ଆମେରିକାର କିଛି ସାଂସଦ ଏବେ ଭାରତ ସମର୍ଥନରେ ବାହାରି ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି । ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟିର ସାଂସଦ ଏଡ୍ ମାର୍କେ କହିଛନ୍ତି, ବାଇଡେନ ପ୍ରଶାସନ ଭାରତକୁ ସହଯୋଗ କରିବା ଦରକାର । ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ଭାରତରେ ଦୈନିକ କରୋନା ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଛି । ତେଣୁ ପୃଥିବୀ ଦିବସ ଅବସରରେ କେବଳ ଆମେ ଗ୍ରହ ବାବଦରେ ଚିନ୍ତା ନକରି ଏଥିରେ ବାସ କରୁଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟା ଉପରେ ଗୁରୁତ୍ୱ ଦେବା ଦରକାର । ଇଡ ମାର୍କେ ଏଭଳି କହି ଏବେ ନିଜ ସରକାରକୁ ସେ ଘେରିଛନ୍ତି । ଆମେରିକା ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି । ତଥାପି ଆମେ ଭାରତ ଭଳି ଦେଶକୁ ସମର୍ଥନ କରିବାକୁ ମନା କରୁଛୁ । ଆମ ପାଖରେ ସାହାଯ୍ୟ କରିବାକୁ ପର୍ଯ୍ୟାପ୍ତ ସମ୍ବଳ ରହିଛି ଏବଂ ଅନ୍ୟ କେହି ଏହି ସମ୍ୱଳ ସାହାଯ୍ୟ ଆବଶ୍ୟକ କରୁଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର ନୈତିକତା ବୋଲି ସେ କହିଛନ୍ତି । ସେହିଭଳି ମିଚିଗାନର ଡେମୋକ୍ରାଟିକ୍ ପାର୍ଟିର ସାଂସଦ ହାଲି ଷ୍ଟିଭେନ୍ସ ମଧ୍ୟ ଟ୍ୱିଟ୍ କରି ଭାରତରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସେ ଦୁଃଖପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ସଂଗଠନକୁ ସେ ଟ୍ୱିଟ୍ କରି ଭାରତକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.